ବଦଳିବ ପାଗ: ଖରାରୁ ମିଳିବ ତ୍ରାହି, ମେ 1 ତାରିଖ ଯାଏଁ ବର୍ଷା ସମ୍ଭାବନା

ମେ 1 ତାରିଖ ଯାଏଁ ଓଡ଼ିଶାରେ ବର୍ଷା ।

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଦେଇଥିବା ଖବର ରାଜ୍ୟବାସୀଙ୍କ ମନରେ ଆଶ୍ବସ୍ତି ଆଣି ଦେଇଛି ।

ମେ 1 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହିତ ଝଟକା ପବନ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କିଛି କିଛି ସ୍ଥାନରେ କୁଆ ପଥର ମଧ୍ୟ ପଡିପାରେ । ପାଖାପାଖି 4ରୁ 5 ଦିନ ଯାଏଁ ତାତିରୁ ମୁକ୍ତି ପାଇବେ ଲୋକେ ।

ଗତ କିଛି ଦିନ ହେବ ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାରେ ଅସ୍ତବ୍ୟସ୍ତ ହେଉଥିଲେ ଲୋକେ । ତାପମାତ୍ରା ପାଖାପାଖି 45 ଡିଗ୍ରୀ ଛୁଇଁଥିଲା । ତେବେ ବର୍ଷା ହେଲେ ଲୋକେ କିଛି ମାତ୍ରାରେ ଶାନ୍ତି ପାଇବେ ।

ତେବେ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ସେନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନାହିଁ ।