fbpx
BJD SKY
BJD SKY

ଜୁନ୍‌ରେ ନିଅଣ୍ଟିଆ ବର୍ଷା, ଓଡ଼ିଶାର ୩ ଜିଲ୍ଲା ବର୍ଷା ଶୂନ୍ୟ

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ବର୍ଷା ଋତୁରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ । ଏପରିକି ଜୁନ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ମଧ୍ୟ ଆଗୁଆ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ଚାଷୀ ମହଲରେ ବେଶ୍‌ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା । ତେବେ ଜୁନ୍‌ ୧ରୁ ୧୨ ମଧ୍ୟରେ ରାଜ୍ୟରେ ଆଖିଦୃଶିଆ ବର୍ଷା ହୋଇପାରି ନାହିଁ । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବିଭାଗର ସୂଚନାନୁସାରେ, ଚଳିତ ମାସ ୧ ତାରିଖରୁ ୧୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ୫୦.୮ ମିଲିମିଟର ହେବା କଥା । ତେବେ ବର୍ଷା ହୋଇଛି ମାତ୍ର ୧୦.୭ ମିଲିମିଟର ଯାହାକି ସ୍ୱାଭାବିକ ବର୍ଷା ଠାରୁ ୭୯% କମ୍‌ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ । ସେଗୁଡ଼ିକ ହେଲା ବରଗଡ଼, ସୋନପୁର ଓ ମାଲକାନାଗିରି । ଅନ୍ୟପକ୍ଷରେ ଅନ୍ୟ ୩ଟି ଜିଲ୍ଳାରେ ୨୦ରୁ ୫୯% ସ୍ୱଳ୍ପ ବର୍ଷା ରେକର୍ଡ କରାଯାଇଥିବାବେଳେ ୨୨ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରଜରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କିଛି ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲା । ତେବେ ଏହା ଠିକ୍‌ ହୋଇନାହିଁ ବୋଲି ଏବେ ଅନୁଭବ କରାଯାଉଛି । ବର୍ଷା ଅଭାବରୁ ଚାଷୀମାନେ ନିରାଶ ହୋଇ ବସିଛନ୍ତି । ଗତ ଅକ୍ଷୟ ତୃତୀୟାରୁ ସେମାନେ ବିଲରେ ହଳ କରି ବିହନ ବୁଣିଥିଲେ ମଧ୍ୟ ବର୍ଷା ନ ହେବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି । ଏପରିକି କେତେକ ଜିଲ୍ଳାରେ ଚାଷଜମି ଫାଟି ଆଁ କଲାଣି । ଏହାକୁ ନେଇ ଚାଷୀ ମହଲରେ ନିରାଶା ଭାବ ସୃଷ୍ଟି ହୋଇଛି । ଯଦି ରଜ ଭିତରେ ବର୍ଷା ନ ହୁଏ ତେବେ ଚାଷୀ କିପରି ଚାଷ କରିବ ତାକୁ ନେଇ ଚିନ୍ତାରେ ପଡ଼ିଛି ।

Get real time updates directly on you device, subscribe now.