fbpx
BJD SKY
BJD SKY

ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳରୁ ବହିଷ୍କାର କଲା BJD

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କାରଣରୁ ରାଜେନ୍ଦ୍ରଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇ ସୂଚନା ଦିଆଯାଇଛି ।

ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଥିଲା । ବିଜେପି ଉକ୍ତ ଆସନ ପାଇଁ ବିଷ୍ଣୁଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପକ୍ଷରେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ମାତ୍ର ଦଳୀୟ ଟିକେଟ ନ ମିଳିବାରୁ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡିର ବହୁ ତୁଙ୍ଗନେତା ରାଜେନ୍ଦ୍ରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ବୁଝାଇଥିଲେ ହେଁ ସବୁ ବୃଥା ହୋଇଥିଲା ।

୨୦୧୯ ବିଧାନସଭା ନିର୍ବାଚନ ପରେ ଚାରି ଚାରିଟି ଉପନିର୍ବାଚନରେ ବିଜେଡି ଏକତରଫା ଭାବେ ବିଜୟ ହାସଲ କରିଥିଲା । ମାତ୍ର ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ବିଜେଡିରେ କନ୍ଦଳ ପଦାରେ ପଡ଼ିଥିଲା । ଜଣେ ନେତା ଦଳୀୟ ପ୍ରାର୍ଥୀତ୍ୱ ନିଷ୍ପତ୍ତି ବିରୋଧରେ ଯାଇଥିଲେ । ରାଜେନ୍ଦ୍ର ସ୍ୱାଧୀନ ଭାବେ ଲଢ଼ିଲେ ବିଜେଡି ଭୋଟ ବ୍ୟାଙ୍କକୁ ଏହା ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା । ସେଥିପାଇଁ ତାଙ୍କୁ ଦଳ ପକ୍ଷରୁ ବୁଝାଇବା ପାଇଁ ପ୍ରୟାସ କରାଯାଇଥିଲା । ମାତ୍ର ସେ କୌଣସି ଚାପର ବଶବର୍ତ୍ତୀ ହୋଇ ନିଷ୍ପତ୍ତି ପରିବର୍ତ୍ତନ କରିବେ ନାହିଁ ବୋଲି ରାଜେନ୍ଦ୍ର ରୋକଠୋକ୍ କହିଦେଇଥିଲେ ।

Get real time updates directly on you device, subscribe now.