fbpx

ମୋକିମଙ୍କ ବିଧାୟକ ପଦ କାଏମ୍: ତଳକୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ଆଶ୍ୱସ୍ତି । ତଳକୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହାଦ୍ୱାରା ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରିଥିଲେ । ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ଏହି ଦଣ୍ଡାଦେଶ ହୋଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ ହେବା ନେଇ ଧାର୍ଯ୍ୟ ହୋଇଛି ।

ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡର୍ସର ଏମଡି ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ମୋକିମଙ୍କ ବ୍ୟତୀତ ପୂର୍ବତନ ଆଇଏଏସ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି, ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଥିଲା । ସମସ୍ତଙ୍କ ଉପରେ ୫୦ ଟଙ୍କା ଲେଖାଏଁ ଜରିମାନା ଲାଗୁ ହୋଇଥିଲା । ଜରିମାନା ଅନାଦେୟ ସେମାନେ ଅଧିକ ୬ ମାସ ଜେଲରେ ରହିବେ ବୋଲି କୁହାଯାଇଥିଲା । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଥିଲେ ।

ତେବେ ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ ବୋଲି କୋର୍ଟଙ୍କ ରାୟ ପରେ ମୋକିମ୍ କହିଥିଲେ । କୋର୍ଟଙ୍କ ଶୁଣାଣି ପରେ ମୋକିମଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଦେଖାଦେଇଥିଲା । ତେବେ ଏବେ ହାଇକୋର୍ଟ ତଳକୋର୍ଟଙ୍କ ଶୁଣାଣି ଉପରେ ରହିତାଦେଶ ଜାରି କରିଥିବାରୁ ମୋକିମଙ୍କ ବିଧାୟକ ପଦ ଏବେ ବଜାୟ ରହିଛି । ନିକଟରେ ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ମୋକିମ୍ ବାଦ୍ ପଡ଼ିଥିଲେ । ଗତ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମୋକିମ୍ ଭୋଟ ଦେଇନଥିଲେ ।

Get real time updates directly on you device, subscribe now.