fbpx

ପିଛା ଛାଡୁନି ବିବାଦ, ପୁଣି ଫସିଲେ ବାବା ରାମଦେବ, ଜାଣନ୍ତୁ ଏଥର କଣ ପାଇଁ…

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଯୋଗ ଗୁରୁ ବାବା ରାମଦେବ । ଏଲୋପାଥି ବିରୋଧରେ ମତ ଦେଇ ବହୁଦିନର ଧରି ବିରୋଧାଭାଷର ସମ୍ମୁଖୀନ ହୋଇଥିବା ବାବା ରାମଦେବ ଗୁରୁବାର ମତ ବଦଳାଇଥିଲେ । ଡାକ୍ତରମାନଙ୍କୁ ଦେବଦୂତ ବୋଲି କହିବା ସହ ସେ କୋଭିଡ୍ ଟିକା ନେବାକୁ ପ୍ରସ୍ତୁତ ବୋଲି କହିଥିଲେ । ଫଳରେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କୁହାଯାଇଥିଲା । କିନ୍ତୁ ଏହାର ୨୪ ଘଣ୍ଟା ନପୂରୁଣୁ ପୁଣି ଏକ ବିବାଦ ଛିଡ଼ା ହୋଇଛି । ଏଥର ବାବାଙ୍କ କମ୍ପାନି ପତଞ୍ଜଳିର ପ୍ରଡକ୍ଟକୁ ନେଇ ଉଠିଛି ଅଭିଯୋଗ ।

ପତଞ୍ଜଳି ସୋରିଷ ତେଲର ଗୁଣବତ୍ତା ତଥା ମାନକକୁ ନେଇ ଉଠିଛି ପ୍ରଶ୍ନ । ପତଞ୍ଜଳି ଦ୍ୱାରା ବିକ୍ରି ହେଉଥିବା ସୋରିଷ ତେଲ ନିମ୍ନମାନର ବୋଲି ଚଚ୍ଚା ହେଉଛି । ଏପରିକି ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଲାବୋରେଟୋରି ଦ୍ୱାରା ପରୀକ୍ଷା ପରେ ପତଞ୍ଜଳି ସୋରିଷ ତେଲ ଖାଇବା ଉପଯୋଗୀ ନୁହେଁ ବୋଲି ଦାବି ଉଠିଛିି। ଏଭଳି ଦାବି କରିଛନ୍ତି ରାଜସ୍ଥାନ ସରକାର । ସୂଚନା ଅନୁସାରେ ସିଂଘାନିୟା ତେଲ ମିଲ ପକ୍ଷରୁ ପତଞ୍ଜଳିକୁ ଯୋଗାଣ ହେଉଥିବା ସୋରିଷ ତେଲର ୫ଟି ସାମ୍ପୁଲ୍ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା । ତେବେ ପରୀକ୍ଷାରୁ ୫ଟି ଯାକ ସାମ୍ପୁଲ୍ର ଗୁଣବତ୍ତା ବା ମାନକ ଖାଇବା ଉପଯୋଗୀ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଖାଦ୍ୟ ନିରାପତ୍ତାକୁ ନେଇ ମାର୍ଚ୍ଚ ୨୭ରେ ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ସୋରିଷ ତେଲର ମାନକ ପରୀକ୍ଷଣ କରାଯାଇଥିବା ମୁଖ୍ୟ ଚିକିତ୍ସାଧିକାରୀ ଡା. ଓମ ପ୍ରକାଶ ମୀନା କହିଛନ୍ତି । ଏହହାର ରିପୋର୍ଟକୁ ଅଲୱାରର ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଲାବୋରେଟୋରିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଥିଲା । ତେବେ ଏ ସମ୍ପର୍କରେ ରାମଦେବ ବାବାଙ୍କ କମ୍ପାନି ପତଞ୍ଜଳି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

Get real time updates directly on you device, subscribe now.