fbpx

ରାମ ନବମୀରେ ରାମଲଲାଙ୍କ ହେବ ସୂର୍ଯ୍ୟ ତିଲକ, ଜାଣନ୍ତୁ ଗର୍ଭଗୃହ ଭିତରେ କେତେ ସମୟ ପର୍ଯ୍ୟନ୍ତ ରହିବ ସୂର୍ଯ୍ୟ କିରଣ ?

ଲକ୍ଷ୍ନୌ: ଚଳିତ ବର୍ଷ ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଉତ୍ସବ ପାଳନ ହେବ । ତେବେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ରାମ ନବମୀ ଉତ୍ସବ ପାଳନକୁ ନେଇ ଲୋକମାନେ ବେଶ ଉତ୍ସାହିତ ଅଛନ୍ତି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ଉତ୍ସବରେ ବିଶେଷ ଆକର୍ଷଣ ହେବ ରାମଲଲାଙ୍କ ସୂର୍ଯ୍ୟ ତିଲକ ।

ଚଳିତ ବର୍ଷ ଅଯୋଧ୍ୟାରେ ଭବ୍ୟ ରାମ ନବମୀ ଅବସରରେ ରାମଲଲା ଶ୍ରଦ୍ଧାଳୁଙ୍କୁ ବିଶେଷ ଶୃଙ୍ଗାରରେ ଦର୍ଶନ ଦେବେ । ଏହା ସହ ରାମ ଲଲାଙ୍କୁ ସୂର୍ଯ୍ୟ ତିଲକ କରାଯିବ ଯାହା ଉତ୍ସବର ମୁଖ୍ୟ ଆକର୍ଷଣ ହେବ । ଏଥିପାଇଁ ବୈଜ୍ଞାନିକଙ୍କ ତରଫରୁ ସମସ୍ତ ପ୍ରସ୍ତତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗର୍ଭଗୃହ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣର ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ପ୍ରାୟ ୪ରୁ ୬ ମିନିଟ ପର୍ଯ୍ୟନ୍ତ ରାମଲଲାଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ଦେଖାଯିବ । ଅର୍ଥାତ ସୁର୍ଯ୍ୟ କିରଣ ରାମଲଲାଙ୍କ ମସ୍ତକରେ ଏପରି ପଡ଼ିବ ଯେ ଏହା ତିଲକ ଲଗାଇବା ପରି ମନେ ହେବ । ଏଥିପାଇଁ ଏକ ଉଚ୍ଚ ସରକାରୀ ସଂସ୍ଥାର ବୈଜ୍ଞାନିକମାନେ ଏକ ବିଶେଷ ପ୍ରକାର କାଚ ଏବଂ ଲେନ୍ସ ଆଧାରିତ ଉପକରଣ ଡିଜାଇନ୍ କରିଛନ୍ତି । ଏହି ଉପକରଣ ମାଧ୍ୟମରେ ସୂର୍ଯ୍ୟ କିରଣ ସିଧା ଗର୍ଭଗୃହରେ ପ୍ରବେଶ କରିବ ଯାହା ରାମଲଲାଙ୍କ ମସ୍ତକରେ ସୁସଜ୍ଜିତ ହେବ । ଏହାକୁ ଅଧିକାରିକ ଭାବେ ‘ସୂର୍ଯ୍ୟ ତିଲକ ପ୍ରୋଜେକ୍ଟ’ ନାମ ଦିଆଯାଇଛି । ଏହି ‘ସୂର୍ଯ୍ୟ ତିଲକ ପ୍ରୋଜେକ୍ଟ’ ଅନ୍ତର୍ଗତ ପ୍ରତି ବର୍ଷ ରାମ ନବମୀ ଅବସରରେ ଅପରାହ୍ନ ୧୨ଟାରେ ଭଗବାନ ରାମଲଲାଙ୍କ ମୂର୍ତ୍ତିର ମସ୍ତକରେ ସୂର୍ଯ୍ୟ କିରଣ ପଡ଼ିବ ଯାହା ମସ୍ତକରେ ତିଲକ ଲଗାଇଲା ଭଳି ମନେ ହେବ । ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍ସିଟୁ୍ୟଟ୍ ଅଫ୍ ଆଷ୍ଟ୍ରାଫିଜିକ୍ସ ସହଯୋଗରେ ‘ସୂର୍ଯ୍ୟ ତିଲକ ପ୍ରୋଜେକ୍ଟ’ କାର୍ଯ୍ୟକାରୀ ହେବ । ଆଗାମୀ ୧୦୦ ବର୍ଷ ପାଇଁ ଏହି ପ୍ରୋଜେକ୍ଟ ଡିଜାଇନ୍ କରାଯାଇଛି । ସମୟ ସମୟରେ ଲେନ୍ସ ଏବଂ କାଚର ଯାଞ୍ଚ କରାଯିବ । ତେବେ ଏଭଳି ଏକ ଦିବ୍ୟ ଦୃଶ୍ୟକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉକ୍ରଣ୍ଠା ରହିଛି ।

 

Get real time updates directly on you device, subscribe now.