fbpx

ବିଶ୍ୱ ବ୍ୟାଙ୍କରେ ଅବସ୍ଥାପିତ ହେଲେ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ବିଜେତା ରଞ୍ଜିତସିନ୍ ଜିଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପୁଣି ଜଣେ ଭାରତୀୟ ବଡ଼ ପଦବୀରେ ଅସ୍ଥାପିତ ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ରଞ୍ଜିତସିନ୍ ଡିଜେଲ୍। ସେ ପୂର୍ବରୁ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ପାଇ ଭାରତ ପାଇଁ ଗୌରବ ଆଣି ଦେଇଥିଲେ । ସମ୍ପ୍ରତି ୱାର୍ଲ୍ଡ ବ୍ୟାଙ୍କର ଶିକ୍ଷା ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଭାରତ ପାଇଁ ପୁଣି ଏକ ଗୌରବ ଆସିବା ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ରଞ୍ଜିସିନଙ୍କୁ ଶୁଭେଚ୍ଛା ମିଳୁଛି ।

ସୂଚନାଯୋଗ୍ୟ ଯେ ରଞ୍ଜିତସିନ୍ ଗ୍ଲୋବାଲ୍ ଟିଚର୍ ଆୱାର୍ଡ-୨୦୨୦ ପାଇଥିଲେ । ସମ୍ପ୍ରତି ୨୦୨୧ ଜୁନରୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ସେ ବିଶ୍ୱ ବ୍ୟାଙ୍କର ଶିକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିବାବେଳେ ଚାକିରିରେ ରହିଥିବା ଶିକ୍ଷକମାନେ କିଭଳି ବିଦ୍ୟାର୍ଥୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଅଧିକ ଫଳପ୍ରଦ ତଥା ଗୁଣସମ୍ପନ୍ନ ଶିକ୍ଷା ପ୍ରଦାନ ପାଇଁ ବିଶ୍ୱ ବ୍ୟାଙ୍କ ଏହି ନୂଆ ପ୍ରୋଜେକ୍ଟ ଆରମ୍ଭ କରିଥିବାବେଳେ ରଞ୍ଜିତସିନ୍ ଏହାର ମଙ୍ଗ ସମ୍ଭାଳିବେ । ଏକକ ଶିକ୍ଷା, ଗୋଷ୍ଠୀ ଶିକ୍ଷା ସମେତ ତାଲିମ୍ ଓ ବିଭିନ୍ନ କର୍ମଶାଳା ଆଦି ଆୟୋଜନ କରାଯାଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ବିଶ୍ୱ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ବିଭାଗୀୟ ୱେବ୍ ସାଇଟ୍ ରେ ଉଲ୍ଲେଖ ରହିଛି ।

ରଞ୍ଜିତସିନଙ୍କ ଏଭଳି ସଫଳତା ପାଇଁ ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକୱାଡ୍ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହା ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ ବୋଲି ଉଲ୍ଲେଖ କରି ରଞ୍ଜିତସିନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଶିକ୍ଷାମନ୍ତ୍ରୀ ।

Get real time updates directly on you device, subscribe now.