fbpx

ସାପ ବୋଲି କ’ଣ ମୋର ହୃଦୟ ନାହିଁ: ଭୋକରେ ଛଟପଟ ହୋଇ ମରିଗଲା ପଛେ ଛୁଆଙ୍କୁ ଖାଇଲାନି ନାଗୁଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆରେ ମାଆକୁ ସବୁଠାରୁ ଉଚ୍ଚସ୍ଥାନ ଦିଆଯାଇଥାଏ । କାରଣ ଗୋଟିଏ ମାଆ ତା’ର ଛୁଆକୁ ଜନ୍ମ ଦେବା ପାଇଁ ଯେଉଁ କଷ୍ଟ ସହ୍ୟ କରେ ତାହା ଆଉ କାହା ପକ୍ଷେ ସମ୍ଭବ ହୋଇନଥାଏ । ତେବେ କେବଳ ମଣିଷ ନୁହନ୍ତି ଜୀବଜନ୍ତୁ, ସରୀସୃପଙ୍କ ମଧ୍ୟରେ ମଧ୍ୟ ସୃଷ୍ଟିକର୍ତ୍ତା ମାତୃଶକ୍ତି ଭରି ଦେଇଛନ୍ତି । ଗୋଟିଏ ନାଗୁଣୀ ଭୋକର ଜ୍ୱଳନରେ ଛଟପଟ ହୋଇ ମରିଗଲା ପଛେ ତା’ର ଛୁଆଙ୍କୁ ଖାଇବାର କ୍ରୁର ହୀନମନ୍ୟତାକୁ ଆପଣାଇଲା ନାହିଁ ।

କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଦୋଳଣାପୁରରେ ଦେଖିବାକୁ ମିଳିଛି ଏପରି ଏକ ବିରଳ ଘଟଣା । ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ନିକଟରେ କିଛି ସାପ ଛୁଆ ଓ ଅଣ୍ଡା ଦେଖିବାକୁ ମିଳିଥିଲା । ତେବେ ନିକଟରେ ଏକ ନାଗୁଣୀ ସାପ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ସ୍ନେକ ହେଲପ୍ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ତେବେ ୧୪ଟି ନାଗ ଛୁଆଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ବେଳେ ୮ଟି ଅଣ୍ଡା ଭଲ ଅବସ୍ଥାରେ ରହିଥିଲା ।

ତେବେ ଏନେଇ ସ୍ନେକ ହେଲପ ଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଛୁଆମାନଙ୍କୁ ଠିକ୍ ସମୟରେ ଉଦ୍ଧାର ନ କରିଥିଲେ ସେମାନେ ମଧ୍ୟ ତା’ ମାଆ ପରି ଖାଦ୍ୟ ଅଭାବରୁ ମୃତ୍ୟୁଦଶା ଭୋଗିଥାନ୍ତେ । ନାଗୁଣୀଟି ୩ ମାସ ପୂର୍ବରୁ ଅଣ୍ଡା ଦେଇଥିବା ଅନୁମାନ କରାଯାଉଛି । ଗୋଟିଏ ବଡ଼ନାଗ ଭୋକରେ ପଡ଼ିଲେ ଛୋଟ ନାଗକୁ ଖାଇବା କିଛି ନୂଆ କଥା ନୁହେଁ । ମାତ୍ର ମାଆ ସାପଟି ମରିଗଲା ପଛେ ନିଜ ଛୁଆଙ୍କୁ ଖାଇଲା ନାହିଁ । ସାପମାନେ ଖାଦ୍ୟ ନଖାଇ ୩ ମାସ ବଞ୍ଚିପାରିବେ, ଯଦି ତାଙ୍କ ଦେହରେ ରିଜର୍ଭ ଫ୍ୟାଟ ଥିବ । ଅର୍ଥାତ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ମାଆ ଦେହରେ ଶକ୍ତି ନଥିବ । ସେ ଚାହିଁଥିଲେ ଛୁଆଙ୍କୁ ଖାଇ ନିଜ ଜୀବନ ବଞ୍ଚାଇ ପାରିଥାନ୍ତା । ମାତ୍ର ସେ ତାହା କରିନଥିଲା, କାହିଁକି ନା ସେ ପରା ମାଆ ।

Get real time updates directly on you device, subscribe now.