fbpx

କେବଳ ମୋକିମ୍ ନୁହନ୍ତି, ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି: ମୋହନ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାଲି ମୋକିମ ନୁହେଁ ଆଉ ଜଣେ କଂଗ୍ରେସ ବିଧାୟକ ବି ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ନୁହେଁ ମାଟିକୁ ପସନ୍ଦ କରିଛନ୍ତି । ଯଶୋବନ୍ତ ସିହ୍ନାଙ୍କୁ ପ୍ରତ୍ୟାଖ୍ୟାନ କରି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ନିର୍ବାଚନ ଦିନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରଥମେ ପ୍ରକାଶ କରିଥିଲେ ଯେ ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ବାରମ୍ବାର ଏହି ପ୍ରଶ୍ନ ଉପରେ ସେ ଗୋଟିଏ ଉତ୍ତର ଦେଇଛନ୍ତି ଯେ ସେ ବିବେକର କଥା ଶୁଣିଲେ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବାକୁ ଠିକ ବୋଲି ଭାବିଲେ। ଯଦିଓ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଥିଲା। ଦଳର କେନ୍ଦ୍ରୀୟ ନେତୃତ୍ୱ ଏନେଇ ରାଜ୍ୟର ବିଧାୟକମାନଙ୍କୁ ଅବଗତ କରିଥିଲେ।

ଦଳର ବିଧାୟକମାନେ ମଧ୍ୟ ଖୋଲାଖୋଲି କହିଥିଲେ ଯେ ସେମାନେ ଯଶୋବନ୍ତ ସିହ୍ନାଙ୍କୁ ହିଁ ଭୋଟ ଦେବେ। ତେବେ ନିର୍ବାଚନ ଦିନ ହିଁ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ କହିଥିଲେ ଯେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଏବେ କିନ୍ତୁ କଥା ଉଠିଲାଣି ଯେ ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହି ସୂଚନା ଦେଇଛନ୍ତି। ଯାହାକି ପୁଣି କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି । ମୋହନ ମାଝି କହିଛନ୍ତି ଯେ ସେ ଗଣତି ପରେ ଏହାର ଖୁଲାସା କରିବେ। ଓଡ଼ିଶାର ୧୪୭ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ଏଠାରେ ଭୋଟ ଦେଇଥିଲେ। ଭୋଟର ଗଣିତ ଓ ଦଳର ନିଷ୍ପତ୍ତିକୁ ବିଚାର କରିଲେ ୧୪୫ରୁ ୯ ଜଣ କଂଗ୍ରେସ ଏବଂ ଜଣେ ସିପିଏମ ବିଧାୟକ ଏମିତି ୧୦ ଜଣ ଯଶୋବନ୍ତଙ୍କୁ ଭୋଟ ଦେଇଥାନ୍ତେ।

ବିଜେଡି ଏବଂ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବା ବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଥିଲେ। ଏଣୁ ଓଡ଼ିଶାରୁ ଦ୍ରୌପଦୀ ୧୩୫ ଏବଂ ଯଶୋବନ୍ତ ୧୦ଟି ଭୋଟ ପାଇବାର ଥିଲା। ଏଥିରୁ ମୋକିମ ବାଦ ପଡ଼ିଲେ ଦ୍ରୌପଦୀ ୧୩୬ ଯଶୋବନ୍ତ ୯ଟି ଭୋଟ ପାଇଥାନ୍ତେ। ଗଣତି ପରେ ଏହି ଅଙ୍କ ରହୁଛି କି ନାହିଁ ତାହା ସ୍ପଷ୍ଟ ହେବ। ସେଥିରୁ ଜଣା ପଡ଼ିବ ଆଉ କେଉଁ କେଉଁ ବିଧାୟକ ମାଟି ଓ ପାର୍ଟିର ଦ୍ୱନ୍ଦ୍ୱ ଭିତରେ ଅଲଗା ସ୍ଥାନରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲକୁ ସମ୍ମାନ ଜଣାଇ କେଉଁ ବିରୋଧୀ ବିଧାୟକ ଓଡ଼ିଶାର ଝିଅ ଦ୍ରୌପଦୀ ମର୍ମୁଙ୍କୁ ଭୋଟ ଦେଇଛନ୍ତି । ତେବେ ମୋହନ ମାଝି କହିଛନ୍ତି ଭୋଟ ଗଣତି ସରିବା ପରେ ସେ ସେହି କଂଗ୍ରେସ ବିଧାୟକଙ୍କ ନାଁ ପ୍ରକାଶ କରିବେ ଯିଏ ଯଶୋବନ୍ତଙ୍କୁ ଛାଡ଼ି ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ସେ ପର୍ଯ୍ୟନ୍ତ ଅପେକ୍ଷା।

Get real time updates directly on you device, subscribe now.