fbpx

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିର ଆନନ୍ଦ ବଜାରରେ ବସି ଖାଇବେ ମହାପ୍ରସାଦ

ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୁର୍ମୁଙ୍କ ସ୍ୱାଗତ ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଶ୍ରୀମନ୍ଦିର ପରିଦର୍ଶନ କରିବେ ବୋଲି ଜଣା ପଡ଼ିଛି । ଏବଂ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବସି ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବେ ବୋଲି ସୂଚନା ମିଳିଛି । ତେବେ ଏନେଇ ସୁଆର ମହାସୁଆର ନିଯୋଗ ବି ପ୍ରସ୍ତୁତ ରହିଛି । ରାଷ୍ଟ୍ରପତି ମୁର୍ମୁ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ମେନ୍ୟୁରେ କାନିକା, ଖେଚୁଡ଼ି, ବିରିପିଠା, ମଞ୍ଜା- କଖାରୁ ରାଇ, ସନ୍ତୁଳା, ହବିଷ ଖଟା ପ୍ରସ୍ତୁତ କରାଯିବ ବୋଲି ଯୋଜନା ରହିଛି ।

ସୂଚନା ମୁତାବକ, ରାଷ୍ଟ୍ରପତି ମଧ୍ୟାହ୍ନ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏନେଇ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ଓ ମହାସୁଆର ନିଯୋଗ ମିଳିତ ଭାବେ ଅବଢା ପ୍ରସ୍ତୁତ କରିବେ । ତେବେ ରାଷ୍ଟ୍ରପତି ମଧ୍ୟାହ୍ନ ସମୟରେ ପହଞ୍ଚିବେ ତେଣୁ ସକାଳ ୯ଟାରେ ମହାପ୍ରଭୁଙ୍କ ସକାଳ ଧୂରେ ଲାଗି ହେବାକୁ ଥିବା ମହାପ୍ରସାଦ ରାଷ୍ଟ୍ରପତିଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ଧୂପରେ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥିବା ଏଣ୍ଡୁରି, ଚନ୍ଦ୍ରକାନ୍ତି, ଝିଲ୍ଲୀ, ହଂସକେଳୀ ଆଦି ବିରି ପିଠା ଦିଆଯିବ।

ସେହିପରି ମିଠା ଡାଲି, ଡାଲମା, ଶାଗ ଭଜା, ଭଜା, ମଞ୍ଜା- କଖାରୁରେ ପ୍ରସ୍ତୁତ ସ୍ୱତନ୍ତ୍ର ରାଇ, ଗୋଟାମୁଗ ତରକାରୀ ପରଷା ଯିବ। ତେବେ ପ୍ରଶାସନ ସହ ନିଯୋଗର ଆଲୋଚନା ହୋଇଛି ବୋଲି ଶ୍ରୀମହାସୁଅର କହିଛନ୍ତି । ରାଷ୍ଟ୍ରପତି ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କୁ ଗର୍ଭଗୃହରେ ଦର୍ଶନ କରିବେ । ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବେ । ମନ୍ଦିର ପରିଦର୍ଶନ ପରେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି ମୁର୍ମୁ ।

Get real time updates directly on you device, subscribe now.