fbpx

ଆଡ଼ପମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ,(ଓଡ଼ିଶା ଭାସ୍କର) : ସୋମବାର ରଥଯାତ୍ରା ଅବସରରେ ରତ୍ନ ସିଂହାସନ ଛାଡ଼ି ଜନ୍ମ ବେଦୀ ଅଭିମୁଖେ ବାହାରି ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଭାଇ ଭଉଣୀଙ୍କ ସହ ପହଞ୍ଚିଥିଲେ କାଳିଆ ସାଆନ୍ତ । କରୋନା କଟକଣା ମଧ୍ୟରେ କେବଳ ସେବାୟତଙ୍କ ଦ୍ୱାରା ରଥ ଟଣା ଯାଇଥିଲା । ମଙ୍ଗଳବାର ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଜନ୍ମବେଦୀକୁ ବିଜେ ନୀତିକାନ୍ତି । ମଙ୍ଗଳଆଳତୀ, ମଇଲମ ନୀତି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା । ରଥ ଉପରେ ଅନ୍ୟାନ୍ୟ ନୀତି ପରେ ସଂଧ୍ୟା ଧୂପ କରାଯାଇ ତିନି ରଥରୁ ଘୋଡା ଫିଟା ଯାଇଥିଲା । ପରେ ଚାରମାଳ ବନ୍ଧା ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୋଟିହଣ୍ଡି ବିଜେ ।

ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଇଥିଲା । ତାପରେ ସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ରାମକୃଷ୍ଣ, ମଦନମୋହନ ଓ ଚକ୍ରରାଜ ସୁଦର୍ଶନ ଆଡପ ମଣ୍ଡପକୁ ବିଜେ କରିବା ପରେ ରଥାରୁଢ ବଡ ଠାକୁର ବଳଭଦ୍ରଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା । ସେବାୟତମାନେ ବଡ ଠାକୁରଙ୍କୁ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରାଇବା ପରେ ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆଡପମଣ୍ଡକୁ ପହଣ୍ଡିରେ ନିଆଯାଇଥିଲା ।ବିଜେ କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି କରିଥିଲେ । ଏହା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇ ମହାପ୍ରଭୁଙ୍କ ନିକଟରେ ଦହି ପଖାଳ ଲାଗି ହୋଇଥିଲା । ଏହାପରେ ବଡ଼ସିଂହାର ବେଶ ହୋଇ ପହୁଡ ହୋଇଥିଲା ।ବୁଧବାର ବାହାରିବ ଆଡ଼ପ ଅବଢ଼ା ।

ଶାସ୍ତ୍ରରେ ଦର୍ଶାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ । ହେଲେ କରୋନା କଟକଣା ପାଇଁ ଚଳିତ ଥର ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ହେବନି ଭକ୍ତ-ଭଗବାନଙ୍କ ମିଳନ । ହେଲେ ଭକ୍ତଙ୍କୁ ଆଡ଼ଅବଢ଼ା ମିଳିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ କୋଭିଡ କଟକଣା ଲାଗି ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି ।

ଅନ୍ୟପଟେ କରୋନା ସମୟରେ କଟକଣା ଯୁକ୍ତ ରଥ ଯାତ୍ରା ପାଇଁ ଗତ ୧୧ ତାରିଖ ରାତିରୁ ପୁରୀ ସହରରେ ୨ ଦିନ ପାଇଁ ଲାଗୁ ହୋଇଥିଲା କର୍ଫ୍ୟୁ । ଏହି କଟକଣା ମଙ୍ଗଳବାର ରାତି ୮ଟା ଯାଏ ଲାଗୁ ହୋଇଥିଲା । ହେଲେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିକୁ ସାମାନ୍ୟ କୋହଳ କରାଯାଇଛି । କେବଳ ଶରଧାବାଲି ନିକସ୍ଥ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶ୍ରୀଜିଉଙ୍କ ଆଡ଼ ମଣ୍ଡପ ବିଜେ ଦୃଷ୍ଟିରୁ ଗୁଣ୍ଡିଚା ମନ୍ଦିର ପାଖରେ ୧୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ବାନାମ୍ବର ଛକରୁ ମାଟିଆପଡ଼ା ଛକ, ମାଟିଆପଡ଼ା ଛକରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକରୁ ନୀଳକଣ୍ଠ ମନ୍ଦିର ଛକ ଯାଏଁ କର୍ଫ୍ୟୁ କଟକଣା ବଳବତ୍ତର ରହିବ ।

ସେହିପରି ନୀଳକଣ୍ଠ ମନ୍ଦିର ଛକରୁ ବଡ଼ ଶଙ୍ଖ ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ଏହି ସବୁ ଅଞ୍ଚଳରେ ଦୋକାନ ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତି ପ୍ରାପ୍ତ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟ ଗାଡିଗୁଡିକ ଯିବା ଆସିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

Get real time updates directly on you device, subscribe now.