fbpx

(Video) ସ୍କୁଲ ଛୁଟିରେ ପିଲାଙ୍କୁ ମିଳିବ ରାସନ୍: ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ଦିଆଯିିବ ଚାଉଳ

ଓଡ଼ିଶା ଭାସ୍କର: ଆଜିଠାରୁ ଓଡ଼ିଶାର ସମସ୍ତ ସ୍କୁଲରେ ଖରା ଛୁଟି ହୋଇଯାଇଛି । ଅସହ୍ୟ ଗରମ ଏବଂ ପ୍ରବଳ ତାତି ଯୋଗୁଁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରାଯାଇଛି । ତେବେ ଛୁଟିଦିନ ସମୟରେ ମଧ୍ୟ ପିଲାମାନଙ୍କ ପୋଷଣ ଉପରେ ଧ୍ୟାନ ରଖିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯିବ । ଏନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ପିଲାମାନଙ୍କୁ ଏହି ସମୟରେ ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା ରାସନ ମିଳିବ ।

ସୂଚନା ଅନୁସାରେ, ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ଆଜିଠରୁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ, ଏପ୍ରିଲ ୨୫ରୁ ମେ’ ୪ (୯ଦିନ) ହେଉଛି କାର୍ଯ୍ୟ ଦିବସ । ତେଣୁ ଏହି କାର୍ଯ୍ୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଶୁଖିଲା ରାସନ ଯୋଗାଇ ଦିଆଯିବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ(ପ୍ରଥମରୁ ଅଷ୍ଟମ ଶ୍ରେଣୀ) ପିଲାମାନଙ୍କ ପାଇଁ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଶୁଖିଲା ରାସନ ସେମାନଙ୍କ ଅଭିଭାବକଙ୍କୁ ଦିଆଯିବ । ରାସନ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ(ରନ୍ଧନ) ମୂଲ୍ୟ ସିଧାସଳଖ ଡିବିଟି ମୋଡରେ ସ୍କୁଲ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ଆକାଉଣ୍ଟରେ ଅର୍ଥ ପୈଠ କରାଯିବ ବୋଲି ଘୋଷଣା କରାଯାଇଛି ।

ତେବେ ଅନେ ଅଞ୍ଚଳରେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ସମ୍ଭବ ହୋଇପାରେ ନାହିଁ । ଏଭଳି ଜଟିଳ ପରିସ୍ଥିତିରେ ଯେଉଁଠାରେ ଆକାଉଣ୍ଟ ସ୍ଥାନାନ୍ତର ସମ୍ଭବ ନୁହେଁ, ସେଠାରେ ଏକ ନିର୍ଦ୍ଦିଷ୍ଟ ରେଜିଷ୍ଟର ମାଧ୍ୟମରେ ପିଲାମାନଙ୍କ ପାଖରେ ଏହି ଦେୟ ପହଞ୍ଚାଇ ଦିଆଯିବ । ସମସ୍ତ ଅଭିଭାବକଙ୍କୁ ଶୁଖିଲା ରାସନ ଏବଂ ସାମଗ୍ରୀ(ରନ୍ଧନ)ର ମୂଲ୍ୟ ବଣ୍ଟନ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.