fbpx

ରୋଗୀ ଶରୀରର ବିଭିନ୍ନ ଅଂଶକୁ କାଟି କ୍ଷତାକ୍ତ କଲା ମୂଷା, ୨ ଡାକ୍ତର ନିଲମ୍ବିତ

Advertisement

ନୂଆଦିଲ୍ଲୀ: ତେଲେଙ୍ଗାନାର କାମାରେଡ୍ଡୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଜଣେ ୪୩ ବର୍ଷୀୟ ରୋଗୀଙ୍କୁ ମୂଷା କାଟି କ୍ଷତାକ୍ତ କରିବା ଘଟଣାରେ ଏବେ ୨ ଜଣ ଡାକ୍ତର ଓ ଜଣେ ସିନିୟର ନର୍ସ ନିଲମ୍ବିତ ହୋଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ଗତ ଶନିବାର ମୂଷା ରୋଗୀଙ୍କ ଡାହାଣ ହାତର ଅଙ୍ଗୁଳି, ପାଦ ଗୋଇଠି ଓ ଶରୀରର ଅନ୍ୟ ଅଂଶକୁ କାଟି ଦେଇଛି ।

ବୈଦ୍ୟ ବିଧାନ ପରିଷଦ ଆୟୁକ୍ତ ଅଜୟ କୁମାରଙ୍କ ଯାଞ୍ଚ ପରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା, କାମାରେଡ୍ଡୀର ଆଇସିୟୁ ବିଭାଗରେ ଥିବା ୩ କର୍ମଚାରୀଙ୍କୁ ଚିକିତ୍ସାରେ ଅବହେଳା କାରଣରୁ ନିଲମ୍ବିତ କରି ଦିଆଯାଇଛି । କାମାରେଡ୍ଡୀ ଜିଲ୍ଲାପାଳ ଜିତେଶ ଭି. ପାଟିଲ ଆଇସିୟୁ ଇନଚାର୍ଜ ଡାକ୍ତର ବସନ୍ତ କୁମାର, ଡାକ୍ତର କାବ୍ୟା ଓ ନର୍ସିଂ ହେଡ୍ ଜି. ମଞ୍ଜୁଳାଙ୍କୁ ନିଲମ୍ବିତ କରାଯିବା ନେଇ ଆଦେଶ ଦେଇଛନ୍ତି ।

କିନ୍ତୁ ଅନ୍ୟପକ୍ଷରେ ହସ୍ପିଟାଲର କର୍ମଚାରୀମାନେ ନିଜ ସହକର୍ମୀଙ୍କ ନିଲମ୍ବନକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ହସ୍ପିଟାଲ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି ଓ ନିଲମ୍ବନ ଉଠାଇବାକୁ ସେମାନେ ଦାବୀ କରିଛନ୍ତି । ନିଲମ୍ବନ ନ ହଟିଲେ ସମସ୍ତ କର୍ମଚାରୀ ହରତାଳରେ ଯିବେ ବୋଲି ଧମକ ଦେଇଛନ୍ତି । ତେଲେଙ୍ଗାନା ଟିଚିଂ ଗଭର୍ଣ୍ଣମେଣ୍ଟ ଡାକ୍ତର ଆସୋସିଏସନ ଡାକ୍ତରଙ୍କ ନିଲମ୍ବନକୁ ନିନ୍ଦା କରିଛନ୍ତି । ସଂଘ କହିଛି ଡାକ୍ତର କେବଳ ରୋଗୀର ଚିକିତ୍ସାକୁ ନେଇ ଚିନ୍ତା କରିବ । ହସ୍ପିଟାଲକୁ ମୂଷା, କୁକୁର, ପୋକ କିମ୍ବା ଅନ୍ୟ କିଛି ଜୀବ ଜନ୍ତୁଙ୍କ କବଳରୁ ସୁରକ୍ଷା ଦେବା ତାଙ୍କ ଦାୟିତ୍ୱ ନୁହେଁ ।

ସୂଚାଇ ଦିଆଯାଇପାରେ କି ଫେବୃୟାରୀ ୯ରେ ରୋଗୀ ଶେଖ ମୁଜିବୁଦ୍ଦିନଙ୍କ ହାତ, ଗୋଡ ଓ ଅନ୍ୟାନ୍ୟ ଅଂଶକୁ ମୂଷା କାଟିଦେଇଥିଲେ । ଗତ ୨୧ ଜାନୁୟାରୀରେ ତାଙ୍କର ଏନଆଇଏମଏସ୍‌, ହାଇଦ୍ରାବାଦରେ ଡିକମ୍ପ୍ରେସିଭ କାର୍ନିଓଟୋମୀ ଅସ୍ତ୍ରୋପଚାର ହୋଇଥିଲା । ପରେ ତାଙ୍କୁ କାମାରେଡ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଅନ୍ୟରୋଗୀଙ୍କ ଆତ୍ମୀୟସ୍ୱଜନମାନେ ମଧ୍ୟ ହସ୍ପିଟାଲରେ ମୂଷା ଆତଙ୍କ ବିଷୟରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.