fbpx

ମୋ ପାଖରେ ଧୋନୀଙ୍କ ଫୋନ ନମ୍ବର ନାହିଁ, କଲ୍ କେମିତି କରିବି: ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କିଛିଦିନ ତଳେ ନିଜ ପଦରୁ ଅବ୍ୟାହତି ନେଇଥିଲେ । ତେବେ ଏବେ ଶାସ୍ତ୍ରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶାସ୍ତ୍ରୀ ଧୋନୀଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ, ସେ ଜଣେ ଶାନ୍ତ ସ୍ୱଭାବର ମଣିଷ, ତେଣୁ ତାଙ୍କୁ ସମସ୍ତେ ଭଲ ପାଆନ୍ତି । ସେ ଦଳକୁ ଟି-୨୦ ଓ ଦିନିକିଆରେ ବିଶ୍ୱବିଜୟୀ କରାଇବା ସହ ସମସ୍ତ ଫର୍ମାଟରେ ଜଣେ ସଫଳତମ ଅଧିନାୟକ । ତାଙ୍କ ପରି ଜଣେ କ୍ରିକେଟଙ୍କୁ ମୁଁ ମୋର କ୍ୟାରିୟରରେ କେବେ ବି ଦେଖିନାହିଁ ।

ଶାସ୍ତ୍ରୀଙ୍କ ମତରେ, ଶୂନ ସ୍କୋର କରିବା କି ୧୦୦ ସ୍କୋର କରିବା, ବିଶ୍ୱକପ୍ ଜିତିବା କି ହାରିବା ଧୋନୀଙ୍କ କ୍ଷେତ୍ରରେ ଏହା କିଛି ଫରକ୍ ପକାଏ ନାହିଁ । ସେ ବିପଦ ସମୟରେ ଧୈର୍ଯ୍ୟ ନ ହରାଇ ଭବିଷ୍ୟତ ପାଇଁ ପ୍ଲାନିଂ କରୁଥାନ୍ତି । ଆଜି ବି ମୋ ପାଖରେ ଧୋନୀଙ୍କର ଫୋନ୍ ନମ୍ବର ନାହିଁ, ମୁଁ କେବେ ବି ତାଙ୍କୁ ତାଙ୍କର ନମ୍ବର ମାଗିନାହିଁ । ସେହିପରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଜଣେ ଶାନଦାର କ୍ରିକେଟର, ମାତ୍ର ସେ ବେଳେବେଳେ ରାଗି ଯାଆନ୍ତି । ପାକିସ୍ତାନର ରାଓଲପିଣ୍ଡି ଏକ୍ସପ୍ରେସ୍ ତଥା ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଂଶଗ୍ରହଣ କରି ଶାସ୍ତ୍ରୀ ନିଜର ପ୍ରତିକ୍ରିୟାରେ ଏହା କହିଥିଲେ । ସୂଚନାଯୋଗ୍ୟ ଯେ, ଧୋନୀ ଟିମ୍ ଇଣ୍ଡିଆର ଅଧିନାୟକ ଥିବା ସମୟରେ ଶାସ୍ତ୍ରୀ ଟିମ୍ ମ୍ୟାନେଜର ଓ ମୁଖ୍ୟ କୋଚ୍ ଦାୟିତ୍ୱରେ ରହିଥିଲେ । ଧୋନୀ ଗତ ୨୦୨୦ ମସିହା ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ବର୍ତ୍ତମାନ ସେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲରେ ଖେଳିବା ସହ ଦଳକୁ ୪ ଥର ଚାମ୍ପିୟନ କରାଇବାରେ ସକ୍ଷମ ହୋଇଛନ୍ତି ।

Get real time updates directly on you device, subscribe now.