fbpx

ରାଞ୍ଚି ଟେଷ୍ଟରେ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱୀନ: ଇଂଲଣ୍ଡ ବିପକ୍ଷରେ ‘Special Double’

ନୂଆଦିଲ୍ଲୀ: ରାଞ୍ଚିର ଜେସିଏ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଜାରି ରହିଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ଅତିଥି ଦଳ ଇଂଲଣ୍ଡ । ଭାରତୀୟ ବୋଲରଙ୍କ ରଣନୀତିରେ ଇଂଲଣ୍ଡ ବ୍ୟାଟର ସଂଘର୍ଷ କରୁଥିବା ବେଳେ କେବଳ ଜୋ ରୁଟ୍ ଶତକ ହାସଲ କରିଛନ୍ତି । ତେବେ ଏହି ମ୍ୟାଚରେ ଏକ ବିଶାଳ ରେକର୍ଡ ସୃଷ୍ଟି କରିଛନ୍ତି ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟରେ ଜନି ବେୟାରଷ୍ଟୋଙ୍କ ୱିକେଟ ସହ ଏହି ରେକର୍ଡ ନିଜ ନାମରେ କରିଛନ୍ତି ଷ୍ଟାର ଅଫ୍ ସ୍ପିନର ।

ଜନି ବେୟାରଷ୍ଟୋଙ୍କୁ ଏଲବିଡବ୍ଲୁ ଆଉଟ୍ କରି ଇଂଲଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି । ଏହି ୱିକେଟ ସହ ଇଂଲଣ୍ଡ ବିପକ୍ଷରେ ୧୦୦ଟି ୱିକେଟ ନିଜ ନାମରେ କରିବା ସହ ୧୦୦୦ରନ୍ କରିବାରେ ସଫଳ ହୋଇ ପାରିଛନ୍ତି । ଏମିତି କରିବାରେ ଅଶ୍ୱୀନ ପୃଥିବୀର ଚତୁର୍ଥ କ୍ରିକେଟର ପାଲଟିଛନ୍ତି । ଅଶ୍ୱୀନଙ୍କ ପୂର୍ବରୁ ଗେରୀ ସୋବର୍ସ, ଜର୍ଜ ଗିଫେନ୍ ଏବଂ ମୋଣ୍ଟି ନୋବଲ ହିଁ ଏହି କାରନାମା କରିବାରେ ସଫଳ ହୋଇଥିଲେ । ଏହାପରେ ଅଶ୍ୱୀନ ଚତୁର୍ଥ କ୍ରିକେଟର ଭାବରେ ଇଂଲଣ୍ଡ ବିପକ୍ଷରେ ୧୦୦ଟି ୱିକେଟ ସହ ୧୦୦୦ ରନ୍ ପୂରଣ କରିଛନ୍ତି ।

ତେବେ ନିର୍ଦ୍ଦିଷ୍ଟ କୌଣସି ଟିମ୍ ବିପକ୍ଷରେ ୧୦୦ ୱିକେଟ ସହ ୧୦୦୦ ରନ୍ କରିବାରେ ସେ ସପ୍ତମ ଖେଳାଳି ହୋଇଛନ୍ତି । ଏହାପୂର୍ବରୁ ଗେରୀ ସୋବର୍ସ (ଇଂଲଣ୍ଡ ବିପକ୍ଷରେ), ୱିଫଲ୍ଡ ରୋଡସ(ଅଷ୍ଟ୍ରେଲିଆ ବିପକ୍ଷରେ), ଇୟାନ୍ ବାଥମ(ଅଷ୍ଟ୍ରେଲିଆ ବିପକ୍ଷରେ), ଷ୍ଟୁଆର୍ଟ ବ୍ରଡ( ଅଷ୍ଟ୍ରେଲିଆ ବିପକ୍ଷରେ), ମୋଣ୍ଟି ନୋବଲ(ଇଂଲଣ୍ଡ ବିପକ୍ଷରେ), ଜର୍ଜ ଗିଫେନ୍(ଇଂଲଣ୍ଡ ବିପକ୍ଷରେ) ୧୦୦୦ ରନ୍ ପୂରଣ କରିବା ସହ ୧୦୦ଟି ୱିକେଟ ମଧ୍ୟ ନେଇଛନ୍ତି ।

ସେହିପରି ବାମହାତୀ ବ୍ୟାଟରଙ୍କୁ ସର୍ବାଧିକ ଥର ଆଉଟ କରିବାରେ ଶ୍ରେଷ୍ଠ ବୋଲର ପାଲଟିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ବର୍ତ୍ତମାନ ପର୍ଯ୍ୟନ୍ତ ଅଶ୍ୱୀନ ଟେଷ୍ଟ କ୍ରିକେଟରେ ୨୫୦ ଥର ବାମ ହାତୀ ବ୍ୟାଟରଙ୍କ ୱିକେଟ ହାସଲ କରିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ । ସେ ଟେଷ୍ଟ କ୍ରିକେଟରେ ମୋଟ ୨୧୭ ଥର ବାମ ହାତୀ ବ୍ୟାଟରଙ୍କୁ ପାଭିଲିୟନ ପଠାଇଛନ୍ତି । ଏହାପରେ ଷ୍ଟୁଆର୍ଟ ବ୍ରଡ ୧୯୩, ମୁଥେୟା ମୁରଲୀଧରନ୍ ୧୯୧ ଥର ବାମ ହାତୀ ବୋଲରଙ୍କ ୱିକେଟ ନେଇ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ଟେଷ୍ଟ କ୍ରିକେଟରେ କମ୍ ମ୍ୟାଚରେ ୫୦୦ ୱିକେଟ ଅକ୍ତିଆର କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ମୁଥେୟା ମୁରଲୀଧରନ୍ ୮୭ଟି ମ୍ୟାଚରେ ୫୦୦ ଟେଷ୍ଟ ୱିକେଟ ନିଜ ନାମରେ କରିଥିବା ବେଳେ ଅଶ୍ୱୀନ ୯୮ଟି ଟେଷ୍ଟରେ ଏହି ରେକର୍ଡ ହାସଲ କରିଛନ୍ତି । ଏହାପରେ ଅନିଲ କୁମ୍ବଲେ ୧୦୫ ଏବଂ ସେନ୍ ୱାର୍ଣ୍ଣ ୧୦୮ଟି ମ୍ୟାଚରେ ନିଜ କ୍ୟାରିୟରର ୫୦୦ ଟେଷ୍ଟ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.