fbpx

ବର୍ଷକୁ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା ରାଶି, ଜାଣନ୍ତୁ କ’ଣ ଏହି ଯୋଜନା

Advertisement

ନୂଆଦିଲ୍ଲୀ: ଭବିଷ୍ୟତ ଲାଗି କିମ୍ବା ଜୀବନକୁ ସୁରକ୍ଷିତ ରଖିବା ଲାଗି ଲୋକମାନେ ବିଭିନ୍ନ ବୀମା ଯୋଜନା କିଣିଥାନ୍ତି । ଆଜିକାଲି ତ ସରକାର ଏପରି ଯୋଜନା ଚଲାଉଛନ୍ତି କି ଆପଣ ନିଜର ଚା’ ପାନ ଖର୍ଚ୍ଚରେ ବି ଏକ ଯୋଜନା କିଣିପାରିବେ ଓ ବିପଦ ସମୟରେ ଏହା ଆପଣଙ୍କ ଓ ଆପଣଙ୍କ ପରିବାର ଲାଗି ବେଶ୍ କାମରେ ଆସିପାରିବ । ଏହିପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା  (PMSBY) ।

ଏହି ଯୋଜନାରେ ଆପଣ ବର୍ଷକୁ ମାତ୍ର ୨୦ ଟଙ୍କା ନିବେଶ କରି ୨ ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ । କେନ୍ଦ୍ର ସରକାର ୨୮ ଫେବୃୟାରୀ ୨୦୨୫ରେ ନିଜ ବଜେଟ୍‌ରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବିଷୟରେ ଘୋଷଣା କରିଥିଲେ । ଏହାର ବାର୍ଷିକ ପ୍ରିମିୟମ ମାତ୍ର ୨୦ ଟଙ୍କା । ଯେତେବେଳେ ଏହି ଯୋଜନା ଆରମ୍ଭ କରାଯାଇଥିଲା ସେତେବେଳେ ବାର୍ଷିକ ପ୍ରିମିୟମ ୧୨ ଟଙ୍କା ଥିଲା । ଏହାର ଅର୍ଥ ମାସିକ ମାତ୍ର ୧ ଟଙ୍କା । ୨୦ ଟଙ୍କାରେ ବୀମା ଧାରକଙ୍କ ଦୁର୍ଘଟଣା ବୀମା କରାଯାଇଥାଏ । ଏହି ଯୋଜନା ୧୮ରୁ ୭୦ ବର୍ଷ ଆୟୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।

ଯଦି କୌଣସି ଦୁର୍ଘଟଣାରେ ବୀମାଧାରକଙ୍କ ମୃତ୍ୟୁ ହୋଇଯିବ ତେବେ ତାଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ବୀମାରାଶି ମିଳିବ । ଯଦି ବୀମାଧାରକ ଆଘାତପ୍ରାପ୍ତ ହୁଅନ୍ତି ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ବୀମାରାଶି ମିଳିବ । କିନ୍ତୁ ଦୁର୍ଘଟଣାରେ ଯଦି ବୀମାଧାରକଙ୍କ ଦୁଇ ଆଖି, ଦୁଇ ହାତ ଓ ଦୁଇ ଗୋଡ ଖରାପ ହୋଇଯିବ ତେବେ ତାଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।

ଯଦି ଆପଣଙ୍କୁ ୧୮ ବର୍ଷ ହୋଇଯାଇଛି ତେବେ ଆପଣ ଏହି ପିଏମଏସବିୱାଇ ଯୋଜନାରେ ଲାଭ ଉଠାଇପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଆଧାରକାର୍ଡ ଓ ବ୍ୟାଙ୍କ ଖାତା ଥିବା ଆବଶ୍ୟକ । ବ୍ୟାଙ୍କ ଯାଇ ଆପଣ ଏହି ଯୋଜନାରେ ଲାଭ ଉଠାଇବାକୁ ଫର୍ମ ଭରିପାରିବେ । ଏହି ଫର୍ମ ଜୁନ୍ ୧ ପୂର୍ବରୁ ଭରିବା ଉଚିତ । ଏହାର ଅବଧି ୧ ଜୁନ୍‌ରୁ ଆଗାମୀ ବର୍ଷ ୩୧ ମେ’ ପର୍ଯ୍ୟନ୍ତ ରହିଥାଏ । ୩୧ ମେ’ରେ ଆପଣଙ୍କ ବ୍ୟାଙ୍କ ଖାତାରୁ ୨୦ ଟଙ୍କା ପ୍ରିମିୟମ ସ୍ୱତଃ କଟିଯିବ । ଏହିପରି ଭାବରେ ଆପଣ ବର୍ଷକୁ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ଆପଣଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସୁରକ୍ଷା ଦେଇପାରିବେ ।

Get real time updates directly on you device, subscribe now.