fbpx
BSKY
BJD MC SKY
BJD YOUTH SKY

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଉପରେ ପଡ଼ିବ କି ପ୍ରଭାବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ସମୟରେ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗୁ କରିଥିଲା । ତେବେ ଏହା ମଧ୍ୟରେ ଓଡ଼ିଶାର ଏକ ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଆକ୍ସନ ନେଇଛି ।

ସୂଚନା ମୁତାବକ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ ୧.୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ପ୍ରୋଭିଜନିଂ, ସମ୍ପତ୍ତି ବର୍ଗୀକରଣ, ଏକ୍ସପୋଜର ଲିମିଟ ଓ ଏନପିଏକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିଥିବା ନିୟମକୁ ଓଡ଼ିଶା ବ୍ୟାଙ୍କ ଠିକ୍ ଭାବେ ପାଳନ କରିନଥିଲା । ତେଣୁ ବ୍ୟାଙ୍କିଂ ନିୟାମକ ନିୟମ ୧୯୪୯ର ଧାରା ୪୭ଏ(୧)ସି, ଧାରା ୪୬(୪)(୧) ଓ ୫୧(୧)ରେ ରହିଥିବା କ୍ଷମତାକୁ ବ୍ୟବହାର କରି ଆରବିଆଇ ଏହି ଜରିମାନା ଲାଗୁ କରିଛି ।

ଆରବିଆଇ ମୁତାବକ, ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ବ୍ୟାଙ୍କର ବୈଧାନିକ ନିରୀକ୍ଷଣ କରାଯାଇଥିଲା । ୨୦୨୩ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ବ୍ୟାଙ୍କର ଆର୍ଥିକ ସ୍ଥିତି ଅନୁସାରେ ସେହି ନିରୀକ୍ଷଣ କରାଯାଇଥିଲା । ତେବେ ଆରବିଆଇର ନିର୍ଦ୍ଦେଶକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠିକ୍ ଭାବେ ପାଳନ କରିନଥିବା ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ବ୍ୟାଙ୍କରୁ ଜବାବ ମିଳିବା ପରେ ଓ ବ୍ୟକ୍ତିଗତ ଶୁଣାଣି ଆଧାରରେ କିଛି ନିର୍ଦ୍ଦିଷ୍ଟ ଋଣ ଖାତାକୁ ଏନପିଏ ବର୍ଗରେ ସାମିଲ କରିବାରେ ବ୍ୟାଙ୍କ ବିଫଳ ହୋଇଥିବା ଆରବିଆଇ ଜାଣିବାକୁ ପାଇଥିଲା । ଏହାପରେ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଥିବା ଆରବିଆଇ ସ୍ପଷ୍ଟ କରିଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ବ୍ୟାଙ୍କର ଗ୍ରାହକଙ୍କର କାରବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.