fbpx

ଏପ୍ରିଲ ୮ରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆକାଉଣ୍ଟରୁ ଅର୍ଥ ଉଠାଣରେ ଲାଗିଲା ରୋକ: ଗୋଟିଏ ବ୍ୟାଙ୍କ ଉପରେ ଆରବିଆଇର କଟକଣା

ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯିବା ସହିତ ଆଉ କିଛି ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରି ଦିଆଯାଇଥାଏ । ବ୍ୟାଙ୍କିଂ ନିୟମ ଅବମାନନା ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ ଗୋଟିଏ ବ୍ୟାଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ମଧ୍ୟରେ ମହାରାଷ୍ଟ୍ରର ଶିରପୁର ମର୍ଚ୍ଚାଣ୍ଟସ କୋ-ଅପରେଟିଭ ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଆକ୍ସନ ନେଇଛି । ବ୍ୟାଙ୍କରୁ ଅର୍ଥ ଉଠାଣ ଉପରେ ରୋକ ଲାଗୁ କରାଯାଇଛି । ବ୍ୟାଙ୍କର ଖରାପ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆରବିଆଇର ଏହି ଆଦେଶ ପରେ ବର୍ତ୍ତମାନର ଚଳନ୍ତି ଖାତା ବା ସେଭିଙ୍ଗ ଆକାଉଣ୍ଟରୁ କୌଣସି ଗ୍ରାହକ ଅର୍ଥ ଉଠାଇ ପାରିବେ ନାହିଁ । ଏବେ ବ୍ୟାଙ୍କ କୌଣସି ପ୍ରକାର ନୂଆ ଋଣ ଦେଇ ପାରିବ ନାହିଁ ବୋଲି ଆରବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏଣିକି ଆରବିଆଇର ବିନା ଅନୁମତିରେ ଶିରପୁର ମର୍ଚ୍ଚାଣ୍ଟସ କୋ-ଅପରେଟିଭ ବ୍ୟାଙ୍କ ନିଜର ସମ୍ପତ୍ତି ହସ୍ତାନ୍ତର କରିପାରିବ ନାହିଁ । ଏପ୍ରିଲ ୮ ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହି ଆଦେଶ ଜାରି ରହିବ । ତେବେ ଗ୍ରାହକମାନେ ଅର୍ଥ ଉଠାଇ ନ ପାରିଲେ ମଧ୍ୟ ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି ନିଗମ (ଡିଆଇସିଜି) ଅଧିନରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି କ୍ଲେମ କରିପାରିବେ । ଯେଉଁ ଗ୍ରାହକଙ୍କର ଜମା ରାଶି ୫ ଲକ୍ଷରୁ କମ୍ ଥିବ ସେମାନେ ନିଜର ସମ୍ପୂର୍ଣ୍ଣ ଅର୍ଥ ପାଇ ପାରିବେ ।

Get real time updates directly on you device, subscribe now.