RBI Update: ଛପା ହେବ ନୂଆ ୧୦ ଟଙ୍କିଆ, ୫୦୦ ଟଙ୍କିଆ ନୋଟ୍… ଖୁବଶୀଘ୍ର ହେବ ପ୍ରଚଳନ
୫୦୦ ଟଙ୍କିଆ ନୋଟରେ ହେବ ବଡ଼ ପରିବର୍ତ୍ତନ । ସୂଚନା ଦେଲା ଆରବିଆଇ ।
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଜାରରେ ନୂଆ ୫୦୦ ଟଙ୍କିଆ ଏବଂ ୧୦ ଟଙ୍କିଆ ନୋଟର ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି । ଦୁଇଟିଯାକ ନୋଟରେ ବଡ଼ ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି ।
ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଏ ନେଇ ମିଳିଥିବା ସୂଚନା ଅନୁସାରେ, ନୋଟରେ ହେବାକୁ ଥିବା ପରିବର୍ତ୍ତନରେ ଲୋକଙ୍କ ଉପରେ ବଡ଼ ପ୍ରଭାବ ପଡ଼ିବ ନାହିଁ । ନୋଟରେ ନୂଆ ଗଭର୍ନର ସଞ୍ଜୟ ମଲହୋତ୍ରାଙ୍କ ହସ୍ତଖତ ରହିବ । ମହାତ୍ମା ଗାନ୍ଧି ସିରିଜ୍ ନୋଟରେ କୌଣସି ପ୍ରକାର ବଡ଼ ପରିବର୍ତ୍ତନ କରାଯିବ ନାହିଁ ।
ନୂଆ ନୋଟ୍ ସହିତ ପୁରୁଣା ନୋଟର ପ୍ରଚଳନ ବଜାରରେ ପୂର୍ବ ପ୍ରକାରେ ରହିବ । ଏଥିରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।
ଗତ ଡିସେମ୍ବରରେ ସଞ୍ଜୟ ମଲହୋତ୍ରା ଆରବିଆଇ ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ପୂର୍ବରୁ ଶକ୍ତିକାନ୍ତ ଦାସ ୬ ବର୍ଷ କାଳ ଗଭର୍ନର ଦାୟିତ୍ୱରେ ରହିଥିଲେ ।
ଗତମାସରେ ଆରବିଆଇ ୧୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ବଦଳାଇବା ନେଇ ସୂଚନା ଜାରି କରିଥିଲା । ବିମୁଦ୍ରିକରଣ ସମୟରେ ଯେଉଁଭଳି ଭାବେ ନୋଟର ସାଇଜ୍, ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା ସେପରି କିଛି ବଦଳିବ ନାହିଁ ବୋଲି ଆରବିଆଇ ସ୍ପଷ୍ଠ କରିଛି ।