fbpx
BJD SKY
BJD SKY

ସରକାରୀ ଅଧିକାରୀ ଯାଇଥିଲେ କ୍ଷେତରେ ନଡ଼ା ପୋଡିକୁ ଅଟକାଇବା ପାଇଁ, ଶେଷରେ ନିଜେ ପୋଡିବାକୁ ବାଧ୍ୟ ହେଲେ.. ଜାଣନ୍ତୁ କାରଣ

BJD

ଚଣ୍ଡିଗଡ଼: କ୍ଷେତରେ ନଡ଼ା ପୋଡ଼ିବାକୁ ଅଟକାଇବାକୁ ଯାଇଥିଲେ । କିନ୍ତୁ ବଳପୂର୍ବକ ନିଜେ ନଡ଼ା ପୋଡ଼ିଲେ । ଘଟଣାଟି ଘଟିଛି ପଞ୍ଚାବର ଭଟିଣ୍ଡା ଅନ୍ତର୍ଗତ ମେହ୍ମା ସର୍ଜା ଗାଁରେ । ଡ୍ୟୁଟିରେ ଥିବା ସମୟରେ ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ବଳପୂର୍ବକ ନଡ଼ା ପୋଡ଼ାଇବା ଘଟଣା ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ପଞ୍ଜାବ ଏବଂ ହରିୟାଣାରେ କୃଷକମାନେ କ୍ଷେତରେ ଉର୍ବରତା ଆଣିବା ପାଇଁ ନଡ଼ା ଜାଳିଥାଆନ୍ତି । କିନ୍ତୁ ଏହା ଦ୍ୱାରା ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସରକାରଙ୍କ ତରଫରୁ ଏହା ଉପରେ ଅଙ୍କୁଶ ଲଗାଯାଇଛି । ଏହି କାରଣରୁ ସରକାରୀ ଅଧିକାରୀ ଜଣକ କୃଷକମାନଙ୍କୁ ନଡ଼ା ପୋଡ଼ିବା ପାଇଁ ମନା କରିବା ପାଇଁ ଯାଇଥିଲେ । ତେବେ କୃଷକମାନେ ବଳପୂର୍ବକ ତାଙ୍କୁ ନଡ଼ା ପୋଡ଼ିବା ପାଇଁ ବାଧ୍ୟ କରିଥିଲେ ।

ଏହି ଘଟଣାକୁ ବିଭିନ୍ନ ମହଲରେ ବେଶ ନିନ୍ଦା କରାଯାଇଛି । ଘଟଣାକୁ ଅସହ୍ୟ ବୋଲି କହି କଡ଼ା ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ । ଏପରିକି ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଇଛି ଯେ ଅଧିକାରୀ ଜଣକ ମନା କରିବା ସତ୍ତ୍ୱେ ତାଙ୍କୁ ନଡ଼ା ପୋଡ଼ିବା ପାଇଁ ଜବରଦସ୍ତି କରାଯାଉଛି ।

ତେବେ ଏହି ଭିଡିଓଟି ଭାଇରାଲ ହେବାପରେ ପୁଲିସ କୃଷକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଗିରଫ କରିବା ପାଇଁ ଉକ୍ତ କୃଷକମାନଙ୍କ ସନ୍ଧାନ ନେଉଥିବା ମଧ୍ୟ ସୂଚନା ମିଳିଛି । ଭଟିଣ୍ଡା ଡେପୁଟି କମିଶନର ଶୌକତ ଅହମଦ କହିଛନ୍ତି- “ସରକାରୀ ଅଧିକାରୀଙ୍କୁ କର୍ତ୍ତବ୍ୟ ପାଳନରେ ବାଧା ଦେବା ଅପରାଧରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ।”

Get real time updates directly on you device, subscribe now.