fbpx

ଧାମନଗର ଉପନିର୍ବାଚନ: ଫଳାଫଳକୁ ନେଇ କେଉଁ ଦଳର ନେତା କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଧାମନଗର ଉପନିର୍ବାଚନରେ ବିଜୟର ବାନା ଉଡ଼ାଇଛି ବିଜେପି । ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ଲାଗିଛି ରୋକ । ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ଶାସକ ବିଜେଡିର ସମସ୍ତ ରଣନୀତିକୁ ନିଷ୍ପ୍ରଭ କରିଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ବିଦ୍ରୋହୀ ପ୍ରାର୍ଥୀ ବିଜେଡ଼ି ପାଇଁ କାଳ ସାଜିଥିଲେ । ଏହି ନିର୍ବାଚନର ଫଳାଫଳ ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

ଚଳିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂରଜ ୮୦,୩୫୧ ଖଣ୍ଡ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦,୪୭୦ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୬୧ ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ ଖଣ୍ଡ ଭୋଟ ପାଇଛନ୍ତି । ଭିଭିପାଟ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ସୂରଜ ୯,୮୮୧ ଖଣ୍ଡ ଭୋଟରେ ବିଜୟଲାଭ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ସୁଶୀଲ ଲୋହୀନ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ତେବେ ଉପନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆମେ ଜନମତକୁ ସମ୍ମାନ ଦେଉଛୁ, ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବିଜୟ ଧର୍ମର ଜୟ, ଧାମନଗରବାସୀଙ୍କର ବିଜୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଐତିହାସିକ ବିଜୟ ଦଳର କାର୍ଯ୍ୟକର୍ତ୍ତାଙ୍କର ବୋଲି କହିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେହିପରି ଏହି ବିଜୟର ସମସ୍ତ ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି ସୂରଜ । ସମସ୍ତଙ୍କର ସହଯୋଗ ଓ ସଦ୍ଦିଚ୍ଛା ଯୋଗୁଁ ଏହି ବିଜୟ ସମ୍ଭବ ହେଲା । ଏହି ବିଜୟ ଧାମନଗରବାସୀଙ୍କର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.