fbpx

ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ କି ମ୍ୟାଚ? ଜାଣନ୍ତୁ ସେମି ଫାଇନାଲରେ କେଉଁ କେଉଁ ଦଳ ଭିତରେ ଲାଗିବ ଯୁଦ୍ଧ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ ସେମିଫାଇନାଲ ପାଇଁ ଚୟନ କ୍ୱାଲିଫାଏ କରି ସାରିଛନ୍ତି ୪ଟି ଦଳ । ଏବେ ଦୁଇଟି ପର୍ୟ୍ୟାୟରେ ଫାଇନାଲ ଟିକେଟ ପାଇଁ ଲାଗିବ ଯୁଦ୍ଧ । ଗ୍ରୁପ-ଏ’ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ-ବି’ରୁ ଭାରତ ଏବଂ ପାକିସ୍ତାନ ସେମି ଫାଇନାଲରେ ଜାଗା ପକ୍କା କରିଛନ୍ତି । ଏବେ ସମସ୍ତ ଦଳର ଟାର୍ଗେଟରେ ଫାଇନାଲ ଟିକେଟ । ତେବେ ସେମି ଫାଇନାଲକୁ ୪ଟି ଦଳ ପହଞ୍ଚିଥିବା ବେଳେ କେଉଁ ଦଳ କାହାକୁ ଭେଟିବ ତାହାକୁ ନେଇ ଚର୍ଚ୍ଚା । ଆସନ୍ତୁ ଜାଣିବା ଦୁଇଟି ସେମି ଫାଇନାଲରେ କେଉଁ କେଉଁ ଦଳ ମଧ୍ୟରେ ଲାଗିବ ଲଢେଇ ।

ଗତକାଲି ପ୍ରଥମ ଗ୍ରୁପର ୨ଟି ସେମି ଫାଇନାଲିଷ୍ଟ ମିଳିସାରିଥିଲେ । ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ପରେ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ସେମି ଫାଇନାଲ ପାଇଁ ଟିକେଟ ପାଇଛି । ଏହାପରେ ଆଜି ଗ୍ରୁପ ବି’ର ଦୁଇଟି ଦଳ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ନେଦରଲାଣ୍ଡ ସାଉଥ ଆଫ୍ରିକାକୁ ହରାଇବା ପରେ ପ୍ରଥମ ଦଳ ଭାବରେ ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ଦଳ ଭାବେ ବାଂଲାଦେଶକୁ ମାତ ଦେଇ ସେମିରେ ପାଦ ଥାପିଛି ପାକିସ୍ତାନ । ତେବେ ଗ୍ରୁପ-୧ର ପ୍ରଥମ ଦଳ ଗ୍ରୁପ-୨ର ଦ୍ୱିତୀୟ ଦଳ ମଧ୍ୟରେ ଖେଳାଯିବ ପ୍ରଥମ ସେମି ଫାଇନାଲ ମ୍ୟାଚ । ସେହିପରି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଗ୍ରୁପ-୧ର ଦ୍ୱିତୀୟ ଟିମ ଏବଂ ଗ୍ରୁପ-୨ର ପ୍ରଥମ ଟିମ୍ ମଧ୍ୟରେ ମ୍ୟାଚ ଖେଳାଯିବ । ଅର୍ଥାତ୍ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ଏବଂ ଦ୍ୱିତୀୟରେ ଭାରତ-ଇଂଲଣ୍ଡ ଫାଇନାଲ ପାଇଁ ମୁହାଁମୁହିଁ ହେବେ ।

ତେବେ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ଉଭୟ ସେମିରେ ପହଞ୍ଚିଥିବାରୁ ଏହି ବିଶ୍ୱକପରେ ପୁଣିଥରେ ଉଭୟଙ୍କ ମଧ୍ୟରେ ମ୍ୟାଚ ହେବାର ଆଶା କରୁଛନ୍ତି ପ୍ରଶଂସକ । ଅର୍ଥାତ୍ ଯଦି ଭାରତ ଏବଂ ପାକିସ୍ତାନ ସେମି ଫାଇନାଲରେ ବିଜୟୀ ହୁଅନ୍ତି, ତେବେ ବିଶ୍ୱଯୁଦ୍ଧର ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ଲଢେଇ ଦେଖିବାକୁ ମିଳିବ । ତେଣୁ ୨୦୦୭ ମସିହାର ବିଶ୍ୱକପର ପୁନରାବୃତ୍ତି ଘଟିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି । ୨୦୦୭ରେ ଭାରତ ପାକିସ୍ତାନକୁ ୫ ରନରେ ହରାଇ ଟି-୨୦ର ପ୍ରଥମ ବିଶ୍ୱବିଜେତା ପାଲଟିଥିଲା ।

Get real time updates directly on you device, subscribe now.