fbpx

ରେକର୍ଡ ଭାଙ୍ଗୁଛି ଏପ୍ରିଲର ତାପମାତ୍ରା: ୧୨ଦିନ ହେବ ୪୦ ଡିଗ୍ରୀ ଉପରେ ରାଜଧାନୀର ତାପମାତ୍ରା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ ୧୨ଦିନ ହେବ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଲଗାତାର ୪୦ ଉପରେ ରହିଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ ୧୪ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି ।

ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମଦିନ ସ୍ଥିତି ଲାଗି ରହିବ । ଖାଲି ସେତିକି ନୁହେଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ।

ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।

Get real time updates directly on you device, subscribe now.