fbpx

ବାଣ ଫୁଟାଇବାକୁ ମନା… ଆଜି ନୀଳାଦ୍ରି ବିଜେ ପହଣ୍ଡି ବେଳେ ଶ୍ରୀମନ୍ଦିରରେ କଟକଣା

ପୁରୀ: ପିବତ୍ର ରଥଯାତ୍ରାର ସମସ୍ତ ନୀତିକାନ୍ତି ଶେଷ ହୋଇଛି । ଆଜି ରଥାରୂଢ ଚତୁର୍ଦ୍ଧାମୂରତୀ ପୁଣିଥରେ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମନ୍ଦିରରେ ବଡ଼ ଠାକୁରାଣୀ ମହାବାହୁଙ୍କ ଉପରେ ରୋଷ କରି ରହିଛନ୍ତି । ମହାଲକ୍ଷ୍ମୀଙ୍କ ମନ ଜାଣି ରସଗୋଲାରେ ମା’ ସାଆନ୍ତାଣୀଙ୍କ ମାନଭଞ୍ଜନ କରି ମନ୍ଦିରରେ ପ୍ରବେଶ କରିବେ ବଡ଼ ଠାକୁର । ତେବେ ଆଜି ଏହି ନିଳାଦ୍ରୀ ବିଜେ ଅବସରରେ ଶ୍ରୀମନ୍ଦିରରେ କଟକଣା ଲାଗୁ ହୋଇଛି । ନିଳାଦ୍ରୀ ବିଜେ ପହଣ୍ଡି ସମୟରେ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି ।

ସମସ୍ତଙ୍କ ସହଯୋଗରେ ଶୃଙ୍ଖଳାର ସହିତ ଶେଷ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରାର ସମସ୍ତ ନୀତିକାନ୍ତି ଓ ପର୍ବ । ତେବେ ଗତକାଲି ରଥ ଉପରେ ଅଧରପଣା ନୀତି ଶେଷ ହେବା ପରେ ଆଜି ନିଳାଦ୍ରୀବିଜେ କରିବେ ଚତୁର୍ଦ୍ଧାମୁରତୀ । ଏହି ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ଭିତରେ ବାଣ ଫୁଟାଇବା ପାଇଁ ବାରଣ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀକ୍ଷେତ୍ର ଭଉଁରୀରେ ନରେନ୍ଦ୍ର ପୁଷ୍କରିଣୀରେ ବିସ୍ଫୋରଣ ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଘୋଷଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବା ବେଳେ ଏହାର ଶେଷ ମୁହୂତ୍ତରେ କୌଣସି ଅଘଟଣରୁ ଦୂରେଇ ରହିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ନିଳାଦ୍ରୀ ବିଜେ ସମୟରେ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ କୌଣସି ପ୍ରକାରର ବାଣ ଫୁଟାଇ ପାରିବେ ନାହିଁ । ଏଥିପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ, ଅଧିକାରୀ ତୀକ୍ଷ୍ଣ ନଜର ରଖିବେ । ଏ ନେଇ ସମସ୍ତ ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘୋଷଯାତ୍ରାର ସମସ୍ତ ପର୍ବ ଶେଷ କରି ଆଜି ରତ୍ନ ସିଂହାସନକୁ ବିଜେ କରିବେ ନିଳାଦ୍ରୀନାଥ । ଚତୁର୍ଦ୍ଧାବିଗ୍ରହଙ୍କ ଆଗମନରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ରୋଷ କରି ରହିଛନ୍ତି । ରସଗୋଲା ଦେଇ ବଡ଼ ଠାକୁାରାଣୀଙ୍କ ମାନଭଞ୍ଜନ କରିବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ ବଡ଼ ଠାକୁର ।

Get real time updates directly on you device, subscribe now.