fbpx

(Video) ହଟିଲା British Law… ନୂଆ ନିୟମରେ କେମିତି ରହିବ ଦଣ୍ଡବିଧାନ? ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

Advertisement

ଓଡ଼ିଶା ଭାସ୍କର: ମାସ ଓ ତାରିଖ ବଦଳିବା ସହ ଭାରତରେ ଇତିହାସ ପାଲଟି ଯାଇଛି ବ୍ରିଟିଶ ଆଇନ । ଆଜିଠୁ ଦେଶରେ ଲାଗୁ ହୋଇଛି ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ଆଜି ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ଏହା ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋଡ୍, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି । ଏଥିରେ ପୁରୁଣା ନିୟମ ଅନୁସାରେ ଦଣ୍ଡବିଧାନ ସହିତ ଅନେକ କିଛି ପରିବର୍ତ୍ତନ ରହିଛି ।

ନୂଆ ଆଇନରେ ଆଧୁନିକ ନ୍ୟାୟ ବ୍ୟବସ୍ଥା ଆସିଥିବା ବେଳେ ଏହାକୁ ପ୍ରଥମେ ନାଗରିକ, ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ୟାୟ ଭାବନାରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଜିରୋ ଏଫଆଇଆର, ପୁଲିସ ଅଭିଯୋଗର ଅନଲାଇନ ପଂଜୀକରଣ, ଏସଏମଏସ ଭଳି ବୈଦୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଅପରାଧ ପାଇଁ ଅପରାଧ ଦୃଶ୍ୟର ବାଧ୍ୟତାମୂଳକ ଭିଡ଼ିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆଇନ ବ୍ୟବସ୍ଥାରେ ପ୍ରତ୍ୟେକ ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ. ମହିଳା ଓ ଶିଶୁ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର ଏବଂ ଡିଜିଟାଲ ପ୍ରମାଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଦେଶରେ ଏହି ୩ଟି ନୂଆ ଅପରାଧିକ ଆଇନ ଲାଗୁ ହେବା ସହିତ ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତନ ଆସିଥିବା ଆଇନ ବିଶାରଦ ମାନେ ମତ ଦେଇଛନ୍ତି । ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧକୁ ରୋକିବାରେ ଏହି ୩ଟି ନୂଆ ଆଇନ ସହାୟକ ହେବା ନେଇ ଦେଶବାସୀ ଆଶା ରଖିଛନ୍ତି । ୨୦୨୩ ମସିହା ଡିସେମ୍ବର ୨୧ରେ ଏହି ୩ଟି ବିଲ୍ ସଂସଦରେ ଗୃହୀତ ହେବାପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା, ଯାହା ଆଜିଠୁ ଦେଶରେ ଲାଗୁ କରାଯାଇଛି । ଜୁଲାଇ ମାସ ଆରମ୍ଭରୁ ବଦଳିଯିବ ଭାରତର ଶାସନ ପ୍ରଣାଳୀ । ହଟିଛି ବ୍ରିଟିଶ ଶାସନ ଏବଂ ଲାଗୁ ହୋଇଛି ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇଛନ୍ତି କେନ୍ଦ୍ର ସରକାର । ଭାରତରେ ନୂଆ ସରକାର ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ପରେ ବଦଳିଛି ଭାରତରେ ଚାଲିଥିବା ବ୍ରିଟିଶ ଶାସନ । ଏହାପରେ ଭାରତୀୟ ନ୍ୟାୟ ସଂହିତା ଜୁଲାଇ ମାସରୁ ଲାଗୁ କରାଯାଇଛି ।

Get real time updates directly on you device, subscribe now.