fbpx
BJD SKY
BJD SKY

Repo Rate ଅପରିବର୍ତ୍ତିତ: RBI ଗଭର୍ଣ୍ଣରଙ୍କ ବଡ଼ ଘୋଷଣା

BJD

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ଋତୁ ଚାଲିଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ଖବର ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି । ତେବେ ଆରବିଆଇର ଏହି ଘୋଷଣା ପରେ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।

ରେପୋ ରେଟ ୨୫ ବେସିସ ପଏଣ୍ଟ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରାଯାଉଥିଲା, ମାତ୍ର ଆରବିଆଇ ଏହାକୁ ସ୍ଥିର ରଖିବା ନିଷ୍ପତ୍ତି ନେଇଥିଲା । ଗତବର୍ଷ ମେ ମାସ ପରଠାରୁ ଏହା ମଧ୍ୟରେ ରେପୋ ରେଟ୍ ଛଅ ଥର ବଢ଼ି ସାରିଲାଣି । ନୂଆ ଆର୍ଥିକ ବର୍ଷରେ ଆଇବିଆଇର ପ୍ରଥମ ମୁଦ୍ରା ନୀତି କମିଟି (ଏମପିସି) ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଅବସରରେ ଜନତାଙ୍କୁ ଗୁଡ୍ ନ୍ୟୁଜ ମିଳିଥିଲା । ଦେଶରେ ଗତ ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତ ରହିଥିବା ବେଳେ ଫେବୃଆରୀରେ ୬.୪୪ ପ୍ରତିଶତ ରହିଥିଲା ।

ମହଙ୍ଗା ଦରକୁ ୨-୬ ପ୍ରତିଶତ ମଧ୍ୟରେ ରଖିବା ନେଇ ଆରବିଆଇର ଲକ୍ଷ୍ୟଧାର୍ଯ୍ୟ ଠାରୁ ଏହି ଅଙ୍କ ଅଧିକ ରହିଛି । ଏହି କାରଣରେ ପୁଣି ଥରେ ରେପୋ ରେଟ୍ ବୃଦ୍ଧି ନେଇ ଅନୁମାନ କରାଯାଉଥିଲା । ଦେଶର ଅର୍ଥବ୍ୟବସ୍ଥାକୁ କାଏମ୍ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଘୋଷଣା କରିଥିଲେ । ତେବେ ଆରବିଆଇର ଏହି ନିଷ୍ପତ୍ତି ସିଧାସଳଖ ଭାବେ ବ୍ୟାଙ୍କ ଲୋନକୁ ପ୍ରଭାବିତ କରିବ । ଆରବିଆଇ ରେପୋ ରେଟ୍ ବୃଦ୍ଧି କରିନଥିବାରୁ ଗ୍ରାହକଙ୍କୁ ଇଏମଆଇ କ୍ଷେତ୍ରରେ ଫାଇଦା ମିଳିବ ।

Get real time updates directly on you device, subscribe now.