ନୂଆଦିଲ୍ଲୀ- ସମ୍ପ୍ରତ୍ତି ହୃଦଘାତ ବା ହାର୍ଟ ଆଟାକ୍ ଏକ ସାଧାରଣ ଘଟଣା ପାଲଟି ଗଲାଣି । ଆଗରୁ ବୟସ୍କଙ୍କୁ ଏହି ସମସ୍ୟାର ସମ୍ଭାବନା ଦେଖାଦେଉଥିଲା । କିନ୍ତୁ ଏବେ ଏହା ଅନେକ ଯୁବକ, ଯୁବତୀଙ୍କ ମରଣର କାରଣ ହେଉଛି । ଏମିତି କି ସ୍କୁଲରେ ପଢୁଥିବା ଛୋଟ ପିଲା ମଧ୍ୟ ହୃଦଘାତରେ ପ୍ରାଣ ହରାଉଛନ୍ତି । ତେବେ କାହିଁକି ଏମିତି ହେଉଛି । କାହିଁକି ବିଶେଷଭାବେ ଯୁବପିଢି ହୃଦଘାତର ସମ୍ମୁଖୀନ ହେଉଛନ୍ତି?
ତେବେ ହୃଦଘାତ ସେତେବେଳେ ହୋଇଥାଏ, ଯେତେବେଳେ ହୃତପିଣ୍ଡର ମାଂସପେଶୀ ମୋଟା ହୋଇଯାଏ । ଏହାକୁ ହାଇପରଟ୍ରାଫିକ କାର୍ଡିୟୋମାୟୋପେଥି ମଧ୍ୟ କୁହାଯାଏ । ଏହା ଜେନେଟିକ ହୋଇଥାଏ । କିନ୍ତୁ ଯେତେବେଳେ ଯୁବାସ୍ଥାରେ କୋଲେଷ୍ଟ୍ରୋଲ ବଢିଯାଏ, ମାଂସପେଶୀ ମୋଟା ଓ ସଂକୁଚିତ ହୋଇଯାଏ । ଫଳରେ ହୃତପିଣ୍ଡ ସଠିକ ରୂପେ ରକ୍ତ ପମ୍ପ କରିପାରେ ନାହିଁ ଓ ବ୍ୟକ୍ତିର ମୃତ୍ୟୁ ଘଟେ ।
ତେବେ ଆଥଲେଟ ସବୁ ପ୍ରକାରର ଏକ୍ସରସାଇଜ କରୁଥିବା ସତ୍ତେ୍ୱ ସେମାନଙ୍କୁ ହାର୍ଟ ଆର୍ଟାକ୍ ହେବା ପଛରେ ରହିଥିବା କାରଣକୁ ନେଇ ବିଶେଷଜ୍ଞ କହିଛନ୍ତି, ଅଧିକାଂଶ ଲୋକ ଶାରୀରିକ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି । କିନ୍ତୁ ମେଣ୍ଟାଲ ହେଲ୍ଥ ପାଇଁ କିଛି କରୁ ନାହାନ୍ତି । ମେଣ୍ଟାଲ ହେଲ୍ଥ ଲଗାତର ଲମ୍ବା ସମୟ ପାଇଁ ଖରାପ ହେବା ପରେ ଏହାର ପ୍ରଭାବ ହୃତପିଣ୍ଡ ଉପରେ ପଡିଥାଏ ।
ଅଧିକ ଚିନ୍ତା, କୌତୁହଳ, ଚାପ ଓ ଅନ୍ୟାନ୍ୟ ମାନସିକ ସମସ୍ୟା ପାଇଁ ହାର୍ଟ ଆର୍ଟାକ୍ ବିପଦ ବଢାଇଦିଏ । ମସ୍ତିଷ୍କର ସମସ୍ୟା ହୃତପିଣ୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଏ । ଏଥିସହ ବିଶେଷଜ୍ଞଙ୍କ ମତରେ କ୍ୱାଲିଫାଏଡ ଟ୍ରେନରଙ୍କଠାରୁ ଜିମ ତାଲିମ ନେବା ଉଚିତ । ଏହା ବ୍ୟତୀତ ଖରାପ ଲାଇଫ ଷ୍ଟାଇଲ, ସିଗାରେଟ, ମଦ ପରି ନିଶା ସେବନ ମଧ୍ୟ ହୃଦଘାତକୁ ଟାଣିଆଣେ ।