fbpx

IAS ସ୍ତରରେ ଅଦଳବଦଳ: ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନୂଆ ବିଜ୍ଞପ୍ତି ମୁତାବକ, ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଛନ୍ତି । ଏହା ପୂର୍ବରୁ ସୁଶୀଲ କୁମାର ଲୋହାନୀ ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ରହିଥିଲେ । ସୁଶୀଲ କୁମାର ଏବେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ରହିଥିବା ବେଳେ ତାଙ୍କୁ ଏବେ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଭାବେ ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରେ ସତ୍ୟବ୍ରତ ରହିଛନ୍ତି । ଏଥିସହିତ ସତ୍ୟବ୍ରତଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଜ୍ଞାନ ରଞ୍ଜନ ଦାସଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)ର ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାବେ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

Get real time updates directly on you device, subscribe now.