କୁକୁର ପରେ ବିଲେଇ ନାଁରେ ଆବାସ ପ୍ରମାଣ ପତ୍ର
ଆବେଦନରେ ବିଲେଇର ନାମ 'କ୍ୟାଟ୍ କୁମାର', ବାପାଙ୍କ ନାମ 'କେଟି ବସ୍' ଏବଂ ମାଆଙ୍କ ନାମ 'କଟିଆ ଦେବୀ' ରହିଛି।
ବିହାର: କୁକୁର ପରେ ଏବେ ବିଲେଇ ପାଳି। ପୂର୍ବରୁ କୁକୁର ନାଁରେ କରାଯାଇଥିଲା ଘର ପ୍ରମାଣ ପତ୍ର ଏବେ ବିଲେଇ ନାଁରେ ହୋଇଛି ଆବେଦନ। ଯେଉଁ ଆବେଦନରେ ବିଲେଇର ନାମ ‘କ୍ୟାଟ୍ କୁମାର’, ବାପାଙ୍କ ନାମ ‘କେଟି ବସ୍’ ଏବଂ ମାଆଙ୍କ ନାମ ‘କଟିଆ ଦେବୀ’ ଲେଖାଯାଇଛି।
କେବଳ ଏତିକି ନୁହେଁ ଆବେଦନ ସହିତ ଲଗାଯାଇଥିବା ଫଟୋ ମଧ୍ୟ କୌଣସି ମଣିଷର ନାହିଁ ବରଂ ଏକ ବିଲେଇର ରହିଛି। ଯାହାକି ପ୍ରଶାସନିକ ବ୍ୟବସ୍ଥା ଏବଂ ଅନଲାଇନ୍ ବ୍ୟବସ୍ଥାର ତ୍ରୁଟିକୁ ପୁଣିଥରେ ପ୍ରକାଶ କରିଛି।
ପୂରା ଘଟଣା କ’ଣ: ବିହାରର ରୋହତାସ ଜିଲ୍ଲାରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବିଲେଇ ନାଁରେ ବାସସ୍ଥାନ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା।
ଏହି ଅଜବ ଆବେଦନଟି ବିହାରର RTPS (ରିଅଲ୍-ଟାଇମ୍ ପବ୍ଲିକ୍ ସର୍ଭିସ୍) ପୋର୍ଟାଲରେ ୨୦୨୫ ମସିହା ଜୁଲାଇ ୨୯ ତାରିଖରେ ଦାଖଲ କରାଯାଇଥିଲା।
ଆବେଦନରେ ଦିଆଯାଇଥିବା ଠିକଣା ହେଉଛି ଗ୍ରାମ ଆଟିମିଗଞ୍ଜ, ୱାର୍ଡ ନମ୍ବର ୦୭, ପୋଷ୍ଟ ମହଦେବ, ପୋଲିସ ଷ୍ଟେସନ ନାସରିଗଞ୍ଜ, ଜିଲ୍ଲା ରୋହତାସ।
ନାସରିଗଞ୍ଜ ଜୋନରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀ କୌଶଳ ପଟେଲ ତଦନ୍ତରେ ଜାଣିପାରିଲେ ଯେ ଆବେଦନଟି ସମ୍ପୂର୍ଣ୍ଣ ନକଲି। ଯେହେତୁ ନାମ, ପିତା ଏବଂ ମାତାଙ୍କ ନାମ ଏବଂ ଫଟୋ ସବୁ ଭୁଲ ଥିଲା ଏହି ଆବେଦନ ନକଲି ବୋଲି ଜଣାପଡିଲା।
ପ୍ରଶାସନ କାର୍ଯ୍ୟାନୁଷ୍ଠାନ: ତଦନ୍ତ ପରେ ସ୍ପଷ୍ଟ ହେଲା ଯେ ଏହି ଆବେଦନ ସରକାରୀ ବ୍ୟବସ୍ତାର ଭାବମୂର୍ତ୍ତି ନଷ୍ଟ କରିବା ଏବଂ ଅନଲାଇନ୍ ସେବା ବ୍ୟବସ୍ଥାର ଅପବ୍ୟବହାର କରିବାର ଏକ ପ୍ରୟାସ।
ପରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଷଡ଼ଯନ୍ତ୍ର ଏବଂ ପ୍ରଯୁକ୍ତିର ଅପବ୍ୟବହାର ଅଭିଯୋଗରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ନାସରିଗଞ୍ଜ ଥାନାରେ ଏକ ଏଫଆଇଆର ରୁଜୁ କରାଯାଇଛି।
ଏହି ବିଷୟକୁ ଗମ୍ଭୀରତାର ସହ ନେଇ ପ୍ରଶାସନ ତଦନ୍ତକୁ ସାଇବର ସେଲକୁ ହସ୍ତାନ୍ତର କରିଛି, ଯାହା ଦ୍ଵାରା ଆବେଦନ ଦାଖଲ କରିଥିବା ବ୍ୟକ୍ତିଙ୍କ ଆଇପି ଠିକଣା ଏବଂ ମୋବାଇଲ୍ ନମ୍ବର ଟ୍ରାକ୍ କରାଯାଇପାରିବ।
ପୂର୍ବରୁ ଏପରି ମାମଲା ସାମ୍ନାକୁ ଆସିଛି: ଏହା ପ୍ରଥମ ମାମଲା ନୁହେଁ, ପୂର୍ବରୁ ମଧ୍ୟ ପାଟନାର ମସୌର୍ହିରେ ‘କୁକୁର ବାବୁ’ ନାମରେ ଏକ ବାସସ୍ଥାନ ପ୍ରମାଣପତ୍ର ଜାରି କରାଯାଇଥିଲା। ଯେଉଁଥିରେ ବାପାଙ୍କ ନାମ ‘କୁତା ବାବୁ’ ଏବଂ ମାଆଙ୍କ ନାମ ‘କୁତିଆ ବାବୁ’ ଥିଲା।