fbpx

ପୁଣି ଥରେ ପୁରୁଣା ଭୁଲ୍ ଦୋହରାଇଲେ ପନ୍ତ, ନୋ ବଲକୁ ନେଇ ଅମ୍ପାୟରଙ୍କ ସହ ଲଢିଲେ, ଭିଡିଓ ଭାଇରାଲ୍

Advertisement

ନୂଆଦିଲ୍ଲୀ: ପଡିଆରେ ସର୍ବଦା ଶାନ୍ତ ନଜର ଆସୁଥିବା ଋଷଭ ପନ୍ତଙ୍କୁ ଆଇପିଏଲ ୨୦୨୨ରେ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଏକ ନୋ ବଲକୁ ନେଇ ଅମ୍ପାୟରଙ୍କ ସହ ଲଢିଥିଲେ। ଏପରିକି ସେ ଖେଳାଳିଙ୍କୁ ପଡିଆରୁ ଫେରି ଆସିବାକୁ ମଧ୍ୟ ଇସାରା କରିଥିଲେ। ଏହି ବିବାଦ କାରଣରୁ ଦିଲ୍ଲୀର ସହାୟକ କୋଚ ପ୍ରବୀଣ ଆମରେଙ୍କୁ ଗୋଟିଏ ମ୍ୟାଚର ବାସନ୍ଦ ଭୋଗିବାକୁ ପଡିଛି। ଏଥିସହ ପନ୍ତଙ୍କ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ଘଟିଛି।

ହେଲେ ଏହି ଭୁଲରୁ ସେ କିଛି ଶିକ୍ଷା ନେଇଥିବା ପରି ମନେ ହେଉନାହିଁ। କାରଣ ଗୁରୁବାର ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ପନ୍ତ ପୁଣି ସେହି ସମାନ ଭୁଲ୍ ଦୋହରାଇଛନ୍ତି। ପନ୍ତ ନୋ ବଲକୁ ନେଇ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।

 

କେକେଆର ଇନିଂସର ୧୭ତମ ଓଭରରେ ଏହି ଘଟଣା ଘଟିଛି। ଏହି ଓଭର ବୋଲିଂ କରୁଥିଲେ ଲଳିତ ଯାଦବ। ଏହି ଓଭରର ତୃତୀୟ ବଲ୍ ସେ ହାଇ ଫୁଲ ଟସ୍ ଫିଙ୍ଗିଥିଲେ। ବ୍ୟାଟିଂ କରୁଥିବା ନୀତିଶ ରାଣା ପଏଣ୍ଟ ଉପରେ ଛକା ମାରିଥିଲେ। ଏହି ବଲକୁ ଅମ୍ପାୟର ନୋ ବଲ୍ ଦେଇଥିଲେ। ପନ୍ତ ତୁରନ୍ତ ଅମ୍ପାୟରଙ୍କ ନିକଟକୁ ଯାଇ କଥା ହୋଇଥିଲେ। ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ, ଲଳିତ ଯାଦବଙ୍କ ଏହି ବଲ୍ ନୀତିଶ ରାଣାଙ୍କ ଅଣ୍ଟାରୁ ଉପରେ ଥିଲା। ତେଣୁ ଅମ୍ପାୟରଙ୍କ ନିଷ୍ପତ୍ତି ସଠିକ୍ ଥିଲା। ମାତ୍ର ପନ୍ତ ଏହି ବଲକୁ ନେଇ ଲଗାତାର ଅମ୍ପାୟରଙ୍କୁ ପ୍ରଶ୍ନ କରିବାରେ ଲାଗିଥିଲ।

ଅମ୍ପାୟର ବହୁତ ବୁଝାଇବା ପରେ ପନ୍ତ ମାନିଲେ ଏହି ବଲ୍ ନୋ ବଲ୍ ଥିଲା। ପରବର୍ତ୍ତୀ ବଲ୍ ଫ୍ରି ହିଟ୍ ଥିଲା। ମାତ୍ର ନୀତିଶ ରାଣା ଏହାର ପୂରା ଫାଇଦା ଉଠାଇ ପାରିନଥିଲେ ଏବଂ ଗୋଟିଏ ରନ ନେଇଥିଲେ। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ମଧ୍ୟ ନୋ ବଲକୁ ନେଇ ଖୁବ୍ ଡ୍ରାମା ହୋଇଥିଲା। ଏହାର ପରିଣାମ ମଧ୍ୟ ପନ୍ତଙ୍କୁ ଭୋଗିବାକୁ ପଡିଛି।

Get real time updates directly on you device, subscribe now.