ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ସୁରକ୍ଷାକର୍ମୀଙ୍କ ସାଙ୍ଗକୁ ଏବେ ରୋବୋଟକୁ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଛି । ଫ୍ଲୋରିଡାସ୍ଥିତ ପାଲ୍ମ ବିଚରେ ରୋବୋଡଗ୍ ପାଟ୍ରୋଲିଂ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରର୍ପଟିକୁ ଘେରିଥିବା ତାଳ ଗଛ ଚାରି ପାଖ ଏହି ରୋବୋଡଗ ବୁଲୁ ଥିବାର ଦେଖିବାକୁ ମିଳିଛି । ଉକ୍ତ ସ୍ଥାନରେ ପାଳୁତ ପଶୁଙ୍କ ପାଇଁ ପ୍ରବେଶ ନିଷେଦ୍ଧ ବୋଲି ଏକ ବୋର୍ଡ ମଧ୍ୟ ଲଗାଯାଇଛି ।
ଉନ୍ନତ ଟେକ୍ନୋଲୋଜିକୁ ବ୍ୟବହାର କରି ବୋଷ୍ଟନ ଡାଇନାମିକ୍ସ ନିର୍ମାଣ କରିଛି ଏହି ରୋବୋଡଗ । ଏହି ଡଗରେ ଆଡ଼ଭାନ୍ସଡ଼ ସେନ୍ସର ମଧ୍ୟ ଲାଗିଛି ଯାହା ଦ୍ୱାରା ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ ହୋଇ ପାରିବ ବୋଲି ଟ୍ରମ୍ପଙ୍କ ପକ୍ଷରୁ ଜଣେ କର୍ମଚାରୀ କହିଛନ୍ତି । ପ୍ରଚାର ସମୟରେ ଟ୍ରମ୍ପଙ୍କୁ ଦୁଇଥର ଗୁଳି କରି ହତ୍ୟା କରାଯିବାର ଉଦ୍ୟମ ହୋଇଥିଲା । ସେ ସମୟରେ ଟ୍ରମ୍ପ କ୍ଷମତାରେ ନ ଥିଲେ । ଏବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସ୍ୱଭାବିକ କଥା । ଆମେରିକାରେ ରୋବୋଡଗ୍ ସିକ୍ୟୁରିଟି ବେଶ୍ ପ୍ରଚଳିତ ହେବାରେ ଲାଗିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ ଓ ମିଲିଟାରି ମଧ୍ୟ ରୋବୋଡଗକୁ ସୁରକ୍ଷା ଦୃଷ୍ଟିରୁ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି ।