fbpx

Ind v Aus କଙ୍ଗାରୁ ପାଇଁ ନୂଆ ପ୍ଲାନ କରୁଛି ରୋହିତ ସେନା: ବଦଳିପାରେ ବିରାଟ-କାର୍ତ୍ତିକଙ୍କ ବ୍ୟାଟିଂ ଅର୍ଡର

ନୂଆଦିଲ୍ଲୀ: ଆଜି ମୋହାଲୀ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ବିଶ୍ୱକପ ପୂର୍ବରୁ ଗତବର୍ଷର ଚମ୍ପିଆନକୁ ହରାଇ ନିଜ ଦାବିଦାରୀକୁ ଆହୁରି ଦୃଢୀଭୂତ କରିବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ । ଏଥିସହିତ ଏସିଆ କପ ପରାଜୟକୁ ଭୁଲିବା ପାଇଁ ଏହି ସିରିଜରେ ବିଜୟ ହାସଲ ଦଳ ପାଇଁ ନିହାତି ଜରୁରୀ । ତେଣୁ ବେଷ୍ଟ ପ୍ଲେଇଙ୍ଗ ଇଲେଭେନ ସହ ଅଷ୍ଟ୍ରେଲିଆକୁ ସାମନା କରିବ ରୋହିତ ସେନା । ତେବେ ଆସନ୍ତୁ ଜାଣିବା କ’ଣ ରହିପାରେ ଆଜିର ପ୍ଲେଇଙ୍ଗ ଇଲେଭେନ…

ଅଧିନାୟକ ରୋହିତ ଶର୍ମା ଏବଂ ଉପଅଧିନାୟକ କେ.ଏଲ ରାହୁଲ ଦଳର ପାଳି ଆରମ୍ଭ କରିବା ଏକପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏସିଆ କପରେ ଉଭୟଙ୍କ ପ୍ରଦର୍ଶନ ଏଥିରେ ବଡ ପରିବର୍ତ୍ତନ ଆଣିପାରେ । ବିରାଟ କୋହଲିଙ୍କ ଫର୍ମକୁ ନଜରରେ ରଖି ତାଙ୍କୁ ଓପନିଙ୍ଗ କରିବାକୁ ସୁଯୋଗ ମିଳିପାରେ । ଏମିତି ହେଲେ ୩ ନମ୍ବରରେ ଖେଳିବାକୁ ଆସିପାରନ୍ତି କେ.ଏଲ ରାହୁଲ । ସେହିପରି ୱିକେଟ କିପର ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଅର୍ଡରକୁ ନେଇ ମଧ୍ୟ ଏକ୍ସପେରିମେଣ୍ଟ କରିପାରନ୍ତି ରୋହିତ । ଏସିଆ କପରେ ଅତି ସହଜରେ ନିଜ ୱିକେଟ ହରାଇଥିଲେ କାର୍ତ୍ତିକ । ତଥାପି ଏହି ସିରିଜରେ ତାଙ୍କୁ ସୁଯୋଗ ଦେବା ଉଚିତ ବୋଲି କହିଛନ୍ତି କ୍ରିକେଟ ଏକ୍ସପର୍ଟ । ଏହା ଟିମ ଇଣ୍ଡିଆକୁ ବିଶ୍ବକପରେ ବହୁତ ସାହାଯ୍ୟ କରିବ ବୋଲି କୁହାଯାଇଛି ।

ତେବେ ଋଷଭ ପନ୍ତ ବାରମ୍ବାର ନିରାଶ କରିଥିଲେ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ ଏବଂ ଆର ଅଶ୍ୱୀନଙ୍କୁ ଦଳରେ ସାମିଲ କରିପାରନ୍ତି ରୋହିତ । ଏହାବ୍ୟତୀତ ଜଶପ୍ରୀତ ବୁମରାହ, ହର୍ଷଲ ପଟେଲ ଟିମ ଇଣ୍ଡିଆର ବୋଲିଂ ବିଭାଗକୁ ମଜବୁତ କରିବେ । ତେବେ ତୃତୀୟ ବୋଲର ଭାବେ ଭୁବନେଶ୍ୱର କୁମାର କିମ୍ବା ଦୀପକ ଚହରଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ । ଉଭୟ ଭଲ ଫର୍ମରେ ଥିଲେ ବି ବିଶ୍ୱକପ ପାଇଁ ଉଭୟଙ୍କୁ ପ୍ରସ୍ତୁତ କରିବାକୁ ଚାହିଁବେ କ୍ୟାପଟେନ ରୋହିତ ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା, କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ/ ଆର ଅଶ୍ୱୀନ, ଭୁବନେଶ୍ୱର କୁମାର/ ଦୀପକ ଚହର, ହର୍ଷଲ ପଟେଲ, ଜଶପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ ।

Get real time updates directly on you device, subscribe now.