fbpx

ରୋହିତ କଲେ ବଡ଼ ଖୁଲାସା; ସୂର୍ଯ୍ୟକୁମାର-ଗିଲଙ୍କୁ କାହିଁକି ମିଳିଲା ବୋଲିଂ? ବିରାଟ-ରୋହିତଙ୍କୁ ସଫଳତା

ନୂଆଦିଲ୍ଲୀ: ନଦେଲାଣ୍ଡ ବିପକ୍ଷ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ମଧ୍ୟ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ପ୍ରଥମ ଅଧିନାୟକ ଭାବରେ ରୋହିତ ବିଶ୍ୱକପରେ ଲଗାତାର ୯ଟି ବିଜୟ ସହ ଇତିହାସ ସଷ୍ଟି କରିଛନ୍ତି । ତେବେ ଏହି ମ୍ୟାଚରେ ଅଧିନାୟକ ରୋହିତ ଏବ ବଡ଼ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି । ନେଦରଲାଣ୍ଡ ବିପକ୍ଷରେ ମୋଟ ୯ ଜଣ ବୋଲରଙ୍କୁ ବୋଲିଂ କରିବାର ସୁଯୋଗ ଦେଇଥିଲେ ରୋହିତ । ଅଧିନାୟକଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା, କିନ୍ତୁ ବିରାଟ ଏବଂ ରୋହିତଙ୍କ ଓଭରରେ ସଫଳତା ସମସ୍ତଙ୍କୁ ଦୀପାବଳି ଉପହାର ମିଳିଛି । ତେବେ ବର୍ତ୍ତମାନ ଏମିତି କରିବାର କାରଣ ସେ ଖୁଲାସା କରିଛନ୍ତି ।

ନେଦରଲାଣ୍ଡ ବିପକ୍ଷରେ ପ୍ରମୁଖ ବୋଲରଙ୍କ ବ୍ୟତୀତ ୪ ଜଣ ପାର୍ଟ ଟାଇମ ବୋଲର ବୋଲିଂ କରିଛନ୍ତି । ବିରାଟ କୋହଲି, ଶୁଭମନ ଗିଲଙ୍କ ସହ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିଥିବା ବେଳେ ଶେଷରେ ନିଜେ ରୋହିତ ମଧ୍ୟ ବୋଲିଂ କରିଛନ୍ତି । କିନ୍ତୁ ରୋହିତଙ୍କର ଏହି ନିଷ୍ପତ୍ତିକୁ ହଠାତ୍ କେହି ବୁଝି ପାରିନାହାନ୍ତି । ତେଣୁ ବର୍ତ୍ତମାନ ରୋହିତ ଏହାର ଖୁଲାସା କରିଛନ୍ତି । ରୋହିତ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଦଳରେ ବର୍ତ୍ତମାନ ୫ ଜଣ ପ୍ରମୁଖ ବୋଲର ରହିଛନ୍ତି । କିନ୍ତୁ ନକ୍ ଆଉଟ୍ ଷ୍ଟେଜରେ ଖେଳିବା ସମୟରେ ବିରୋଧୀ ଦଳ ପାଇଁ ଷଷ୍ଠ ବିକଳ୍ପ ରହିବା ନିହାତି ଆବଶ୍ୟକ । ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସ୍ଥାନ ବର୍ତ୍ତମାନ ଖାଲି ପଡ଼ିଥିବାରୁ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ଥିଲା ।

ଏହାପରେ ସେ କହିଛନ୍ତି ଯେ, ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଆମକୁ କିଛି ନୂଆ କରିବାର ସୁଯୋଗ ମିଳିଥିଲା । ତେଣୁ ଦଳରେ ଷଷ୍ଠ ବୋଲର ବିକଳ୍ପ ଖୋଜିବା ପାଇଁ କୋହଲିଙ୍କ ସହ ଗିଲ୍ ଏବଂ ସୂର୍ଯ୍ୟକୁମାରଙ୍କୁ ବୋଲିଂ କରିବାକୁ ସୁଯୋଗ ମିଳିଛି । ତେବେ କୋହଲି ଏହି ମ୍ୟାଚରେ ସଫଳତା ପାଇଥିବା ବେଳେ ଗିଲ୍ ଏବଂ ସୂର୍ଯ୍ୟକୁମାର ଭଲ ବୋଲିଂ କରିଛନ୍ତି । ଏହାବ୍ୟତୀତ ରୋହିତ ନିଜେ ମଧ୍ୟ ମାତ୍ର ୫ଟି ବଲରେ ନେଦରଲାଣ୍ଡର ଶେଷ ୱିକେଟ ନେଇ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଆମ ପାଖରେ ୯ ଜଣ ବୋଲିଂ ବିକଳ୍ପ ରହିଛନ୍ତି, ଏହା ଖୁବ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅଧିନାୟକ ରୋହିତ ।

ବୋଲିଂ ବିକଳ୍ପ ଖୋଜିବା ସହିତ ପେସ୍ ବୋଲର ମଧ୍ୟ ନେଦରଲାଣ୍ଡ ବିପକ୍ଷରେ ୱାଇଡ ୟର୍କର ଏବଂ ଆଉ କିଛି ନୂଆ ବଲ୍ ଫିଙ୍ଗିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି । ତେବେ ଏହି ପରୀକ୍ଷା ନିରୀକ୍ଷା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ତଥା ଆଗକୁ ବିଶ୍ବକପରେ ଟିମ ଇଣ୍ଡିଆକୁ ଖୁବ ସାହାଯ୍ୟ କରିବ । ତେବେ ବିଶ୍ୱକପ ଇତିହାସରେ ତୃତୀୟ ଥର ପାଇଁ କୌଣସି ଦଳ ଗୋଟିଏ ମ୍ୟାଚରେ ୯ ଜଣ ବୋଲରଙ୍କୁ ବୋଲିଂ କରାଇଛି । ଏହାପୂର୍ବରୁ ୧୯୮୭ ମସିହାରେ ଇଂଲଣ୍ଡ ଏବଂ ୧୯୯୨ ମସିହାରେ ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ ପାଇଁ ୯ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ ।

Get real time updates directly on you device, subscribe now.