fbpx

ରୋହିତ-ଗିଲଙ୍କ ଶତକ: ଏହି ମ୍ୟାଚ ଜିତିଲେ ୧୧୨ ବର୍ଷ ତଳର ଐତିହାସିକ ରେକର୍ଡ ଭାଙ୍ଗିବ ଭାରତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମାନମାନେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକ ହାସଲ କରିଛନ୍ତି । ଗତକାଲି ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନରେ ଅଲଆଉଟ୍ ହୋଇଯାଇଥିବା ବେଳେ ଭାରତ ପ୍ରଥମ ଦିନରେ ଯଶସ୍ୱୀ ଜୟସ୍ୱାଲଙ୍କ ୱିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ୨୬୪ ରନ କରି ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ।

୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଭାରତ ପରାଜୟ ବରଣ କରିଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ହାସଲ କରି ସିରିଜକୁ କବଜା କରିନେଇଥିଲା ଟିମ୍ ଇଣ୍ଡିଆ । ତେବେ ଆଜି ଖେଳର ଦ୍ୱିତୀୟ ଦିନ ହୋଇଥିବା ବେଳେ ଖେଳ ଆହୁରି ୩ ଦିନ ବାକି ଅଛି । ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରି ଏକ ବଡ଼ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

ଭାରତ ଟେଷ୍ଟରେ ୭ ଥର ୦-୧ରେ ପଛରେ ରହିବା ପରେ କମବ୍ୟାକ୍ କରି ସିରିଜି ଜିତିଛି । ଭାରତ ଯଦି ଏହି ସିରିଜର ଅନ୍ତିମ ମ୍ୟାଚରେ ବିଜୟୀ ହୁଏ ତେବେ ଟେଷ୍ଟ ଇତିହାସର ୧୧୨ ବର୍ଷ ପରେ ଏକ ଐତିହାସିକ ରେକର୍ଡ ସ୍ଥାପନ କରିବ । ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ସୁଦ୍ଧା କେବଳ ୩ ଥର ଏପରି ଘଟିଛି । ସର୍ବପ୍ରଥମେ ୧୮୯୭-୯୮ରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା । ତା’ପରେ ୧୯୦୧-୦୨ରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଇଂଲଣ୍ଡକୁ ୪-୧ରେ ସିରିଜ ପରାସ୍ତ କରିଥିଲା । ଭାରତ ନାମରେ ମଧ୍ୟ ୧୭ଟି ଟେଷ୍ଟ ସିରିଜ ଜିତିବାର ରେକର୍ଡ ରହିଛି ।

Get real time updates directly on you device, subscribe now.