fbpx
BSKY
BJD SHG SKY
BJD YOUTH SKY

IND vs PAK: ରୋହିତ ଶର୍ମା ବନାମ ବାବର ଆଜମ, ଜାଣନ୍ତୁ କେମିତି ରହିଛି ବ୍ୟାଟିଂ ଏବଂ ଅଧିନାୟକ ରେକର୍ଡ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଯାଉଛି। ତେବେ ସାରା ବିଶ୍ଵର କ୍ରିକେଟ୍ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମୁକାବିଲା ଉପରେ ରହିଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ଅଗଷ୍ଟ ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି ଅନୁଭବୀ ବ୍ୟାଟସମ୍ୟାନ ରୋହିତ ଶର୍ମା ଏବଂ ପାକିସ୍ତାନ ଦଳର ନେତୃତ୍ଵ ଦାୟିତ୍ଵ ତାରକା ବ୍ୟାଟସମ୍ୟାନ ବାବର ଆଜମଙ୍କ ହାତରେ ରହିଛି। ଦୁଇ ଅଧିନାୟକଙ୍କ ନେତୃତ୍ଵରେ ତାଙ୍କ ଦଳ ଦମଦାର ପ୍ରଦର୍ଶନ ମଧ୍ୟ କରୁଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଚାଲନ୍ତୁ ନଜର ପକାଇବା ଦୁଇ ଖେଳାଳିଙ୍କ ଅଧିନାୟକ ଏବଂ ବ୍ୟାଟସମ୍ୟାନ ଭାବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ କେମିତି ପ୍ରଦର୍ଶନ ରହିଛି।

ରୋହିତ ଶର୍ମା

କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ରୋହିତ ଶର୍ମା ୨୦୧୭ରୁ ଏ ପର‌୍ୟୟନ୍ତ ୩୫ଟି ମ୍ୟାଚରେ ଭାରତର ନେତୃତ୍ଵ ନେଇ ସାରିଛନ୍ତି। ଏଥିରୁ ଭାରତ ୨୯ଟି ମ୍ୟାଚ୍ ଜିତିଥିବା ବେଳେ ମାତ୍ର ଛଅଟିରେ ପରାଜିତ ହୋଇଛି। ସେ ଭାରତୀୟ ଦଳକୁ ଟି-୨୦ କ୍ରିକେଟରେ ଏମଏସ ଧୋନୀ(୪୧) ଏବଂ ବିରାଟ କୋହଲି(୩୦)ଙ୍କ ପରେ ସର୍ବାଧିକ ମୁକାବିଲା ଜିତାଇବା ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି।

ରୋହିତ ଶର୍ମା ଦଳ ପାଇଁ ୩୫ଟି ମ୍ୟାଚ୍ ଖେଳି ୩୫ଟି ଇନିଂସରେ ୩୬.୨୮ ହାରରେ ୧୧୫୧ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ଏବଂ ଆଠ ଅର୍ଦ୍ଧଶତକ ସାମିଲ୍। ଶର୍ମା ଟି-୨୦ କ୍ରିକେଟରେ ଅଧିନାୟକ ଭାବେ ଦୁଇ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟରୁ ୧୦୦ ଚୌକା ଏବଂ ୬୩ ଛକା ସାମିଲ୍।

ଟି-୨୦ କ୍ରିକେଟରେ ରୋହିତ ଶର୍ମା ଭାରତ ପକ୍ଷରୁ ଏ ପର‌୍ୟ୍ୟନ୍ତ ମୋଟ୍ ୧୩୨ ମୁକାବିଲା ଖେଳିଛନ୍ତି। ଏହି ସମୟରେ ୧୨୪ଟି ଇନିଂସରେ ୩୨.୩ ହାରରେ ୩୪୮୭ କରିଛନ୍ତି। ଟି-୨୦ କ୍ରିକେଟରେ ତାଙ୍କ ନାମରେ ଚାରି ଶତକ ଏବଂ ୨୭ ଅର୍ଦ୍ଧଶତକ ସାମିଲ୍। ଟି-୨୦ ଅନ୍ତର୍ଜାତୀୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୧୮ ରନ ରହିଛି।

ବାବର ଆଜମ

ଷ୍ଟାର ବ୍ୟାଟସମ୍ୟାନ ବାରର ଆଜମ ଟି-୨୦ କ୍ରିକେଟରେ ୨୦୧୯ରୁ ଏ ପର‌୍ୟ୍ୟନ୍ତ ପାକିସ୍ତାନ ପକ୍ଷରୁ ୪୧ଟି ମୁକାବିଲାରେ ନେତୃତ୍ଵ କରି ସାରିଛନ୍ତି। ଏଥିରୁ ପାକିସ୍ତାନ ୨୬ଟି ମ୍ୟାଚ୍ ଜିତିଥିବା ବେଳେ ୧୦ଟିରେ ହାରିଛି। ପାଞ୍ଚଟି ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି। ବର୍ତ୍ତମାନ ସମୟରେ ସେ ପୂର୍ବତନ ପାକିସ୍ତାନ ଅଧିନାୟକ ସରଫରାଜ ଅହମ୍ମଦ(୨୯)ଙ୍କ ପରେ ଏହି ଫର୍ମାଟରେ ପାକିସ୍ତାନକୁ ସର୍ବାଧିକ ମ୍ୟାଚ୍ ଜିତାଇଥିବା ଅଧିନାୟକ।

ଅଧିନାୟକ ଭାବେ ୪୧ଟି ମ୍ୟାଚର ୩୬ଟି ଇନିଂସରେ ୪୨.୩୦ ହାରରେ ୧୩୯୬ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୧୬ ଅର୍ଦ୍ଧଶତକ ସାମିଲ୍। ଏହିସ ସମୟରେ ତାଙ୍କ ବ୍ୟାଟରୁ ୧୫୧ ଚୌକା ଏବଂ ୨୪ ଛକା ବାହାରିଛି। ବାବର ନିଜର ନେତୃତ୍ଵ ସମୟରେ ତିନି ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି।

Get real time updates directly on you device, subscribe now.