fbpx
BJD SKY
BJD SKY

ଗାଙ୍ଗୁଲିଙ୍କ ଚେୟାରରେ ବସିବେ ରୋଜର ବିନ୍ନୀ! ହେବେ BCCIର ନୂଆ ଅଧ୍ୟକ୍ଷ

BJD

ମୁମ୍ବାଇ: ଆସନ୍ତା ୧୮ ତାରିଖ ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଥିବା ବେଳେ ସେ ପୁଣି ଏହି ପଦରେ ରହିବେ ନାହିଁ ବୋଲି ସୂଚନା ମିଳିଛି । କାରଣ ସେ ଆଇସିସିର ଅଧ୍ୟକ୍ଷ ହେବେ ବୋଲି ଯୋଜନା ଚାଲିଥିବା ଦୃଷ୍ଟିରୁ ଆଉଜଣେ ନୂଆ କର୍ମକର୍ତ୍ତା ବିସିସିଆଇର ସଭାପତି ହେବେ । ଆସନ୍ତା ୧୮ ତାରିଖ ଦିନ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବା ସହିତ କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ବିସିସିଆଇର ସମ୍ପାଦକ ଥିବା ଜୟନ୍ତ ଶାହ ସଭାପତି ହେବେ ବୋଲି ପୂର୍ବରୁ ବିଚାର ବିମର୍ଶ ଚାଲିଥିଲା ।

ମାତ୍ର ସେ ଏହି ପଦବୀରେ ପୁଣି କାର୍ୟ୍ୟ କରିବେ ବୋଲି ନିଷ୍ପତି ହେବା ପରେ ପୂର୍ବତନ ଖେଳାଳି ତଥା ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ଅନ୍ୟତମ ଅଲରାଉଣ୍ଡର ରୋଜର ବିନିଙ୍କ ନାମ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛି । କାରଣ ବିସିସିଆଇର ଡ୍ରାଫ୍ଟ ଇଲେକ୍ଟ୍ରୋରାଲ ରୋଲ୍ସରେ ରୋଜର ବିନିଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ରୋଜର ବିନି କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନ ପକ୍ଷରୁ ବିସିସିଆଇ ସାଧାରଣ ବୈଠକରେ ପ୍ରତିନିଧି ଭାବରେ ଯୋଗଦେବେ । ପୂର୍ବ ବୈଠକରେ କର୍ଣ୍ଣାଟକ କ୍ରିକେଟ ଆସୋସିଏସନର ସମ୍ପାଦକ ସନ୍ତୋଷ ମେନେନ ଯୋଗ ଦେଇଥିଲେ । ଆଗାମୀ ବିସିସିଆଇ ସାଧାରଣ ବୈଠକରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ସଭାପତି ଅଭିଷେକ ଡାଲମିଆଙ୍କ ପରିବର୍ତ୍ତେ ସୌରଭ ଗାଙ୍ଗୁଲି ପ୍ରତିନିଧିତ୍ୱ କରିବେ ।

ବିସିସିଆଇର ବିଭିନ୍ନ ପଦବୀ ପାଇଁ ଇଲେକ୍ଟ୍ରୋକାଲ ରୋଲ୍ସରେ ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତି ବିଶେଷମାନେ ହେଲେ, ଜୟନ୍ତ ଶାହ (ଗୁଜରାଟ), ଅରୁଣ ଧୁମାଲ (ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ), ରାଜୀବ ଶୁକ୍ଳା (ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ), ଆଶିଷ ସେଲାର (ମୁମ୍ବାଇ କ୍ରିକେଟ ଆସୋସିଏସନ), ପୂର୍ବତନ ବିସିସିଆଇ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ (ହରିଆଣା), ବୈଭବ ଗେହଲଟ (ରାଜସ୍ଥାନ), ମହମ୍ମଦ ଆଝାରୁଦ୍ଦିନ (ହାଇଦରାବାଦ), ଜୟଦେବ ଶାହ (ସୌରାଷ୍ଟ୍ର), ଅଦ୍ୱୈତ ମନୋହର (ବିଦର୍ଭ), ପ୍ରଣବ ଅମିନ ବରଦା ଓ ରୋହନ ଜେଟଲୀ (ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ) ।

ବିସିସିଆଇର ବିଭିନ୍ନ କର୍ମକର୍ତ୍ତା ନିର୍ବାଚନ ପାଇଁ ୧୧ ଓ ୧୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ । ସେହିପରି ଆସନ୍ତା ୧୩ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବା ପରେ ୧୪ ତାରିଖ ଦିନ ଯଦି କୌଣସି ନିର୍ବାଚନ ଦୌଡ଼ରୁ ଓହରିଯିବା ପାଇଁ ଚାହିଁବେ ତେବେ ଏହା ଶେଷ ଦିବସ ଭାବେ ଧାର୍ୟ୍ୟ କରାଯାଇଛି । ଉକ୍ତ ଦିନ ଚୂଡ଼ାନ୍ତ ତାଲିକା ଘୋଷଣା ସହିତ ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.