fbpx
BJD
BJD SKY
BJD SKY

ଗୋଟିଏ କାନ୍ଧିରେ ଫଳିବ ହଜାରେ କଦଳୀ: RPRC ବିକଶିତ କରୁଛି ଏକ ନୂଆ କିସମର କଦଳୀ ‘ଉଦୟମ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ଜିନିଷ ଉଦ୍ଭାବନ କରି ସମସ୍ତଙ୍କୁ ଚକିତ କରିଦେଉଛନ୍ତି । ତେବେ ଏହା ମଧ୍ୟରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆରସି)ର ବୈଜ୍ଞାନିକମାନେ ଏକ ନୂଆ କିସମର କଦଳୀ ପ୍ରସ୍ତୁତ କରିଛନ୍ତି । ଏହି କଦଳୀ ଚାଷୀଙ୍କୁ ରୋଜଗାର ଦେବା ସହିତ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।

ତାମିଲନାଡ଼ୁ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ବନାନା (ଏନଆରସିବି)ରୁ ୧୦ଟି ନୂଆ କିସମର କଦଳୀକୁ ଓଡ଼ିଶାକୁ ଅଣାଯାଇଥିଲା । ତାହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଲାଲ କଦଳୀକୁ ଉନ୍ନତ କିସମରେ ବିକଶିତ କରାଯାଇଥିଲା । ଗତ ୨ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଚାରା ବିକ୍ରି କରାଯାଇଛି । ଏହାକୁ ଥରେ ଲଗାଇଲେ ତାହା ୩-୪ ପୀଢ଼ି ପର୍ଯ୍ୟନ୍ତ ଫଳ ଦେଇ ପାରିବ । ଏହା ପାହାଡ଼ିଆ ଅଞ୍ଚଳରେ ଚାଷ ହୋଇ ପାରିବ ।

ଲାଲ କଦଳୀରେ ଗ୍ଲୁକୋଜର ମାତ୍ରା କମ୍ ରହୁଥିବାରୁ ତାହାକୁ ଖାଇବାକୁ ମଧୁମେହ ରୋଗୀଙ୍କୁ ଡାକ୍ତର ପରାମର୍ଶ ଦେଉଛନ୍ତି । ସେଥିରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ, ପୋଟାସିୟମ, ଭିଟାମିନ-ସି, ଭିଟାମିନ-ବି-୬, ଲ୍ୟୁଟେନ ଓ ବିଟା କ୍ୟାରୋଟିନ୍ ରହିଛି । ଏହି କଦଳୀ ଡଜନକୁ ୧୫୦ ଟଙ୍କାରେ ବିକ୍ରି କରାଯାଉଛି । ତା’ର କାନ୍ଧିରେ ୪-୫ଟି ଫେଣା ରହିଥାଏ । ତେବେ ଖୁବଶୀଘ୍ର ବଜାରକୁ ଏକ ବିଶାଳକାୟ କାନ୍ଧି ଦେଉଥିବା କଦଳୀ ଚାରା ‘ଉଦୟମ’ ଆସିବ । ତା’ର ଗୋଟିଏ କାନ୍ଧିରେ ୧ ହଜାର କଦଳୀ ଫଳିବ । ଆରପିଆରସି ପକ୍ଷରୁ ସେନେଇ ବିକଶିତ କରାଯାଉଛି । ସେନେଇ ପ୍ରଥମ ପର୍ଯ୍ୟାୟରେ ଭୂତାଣୁ ପରୀକ୍ଷା ସରିଥିବା ବେଳେ ଆଗକୁ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ସରିବା ପରେ ଚାରା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.