ନୂଆଦିଲ୍ଲୀ: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ସେ ୟୁକ୍ରେନ ଯୁଦ୍ଧ କୁ ନେଇ ବୁଝାମଣାର ଆବଶ୍ୟକତା ବିଷୟରେ କହିଥିଲେ । ଆଲୋଚନା ପାଇଁ କୌଣସି ପୂର୍ବ ସର୍ତ୍ତ ନାହିଁ, କିନ୍ତୁ ଯେକୌଣସି ଚୁକ୍ତିରେ ବୈଧ ୟୁକ୍ରେନ୍ କର୍ତ୍ତୃପକ୍ଷଙ୍କୁ ସାମିଲ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ପୁଟିନ୍ କହିଛନ୍ତି ଯେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସମେତ ଯେ କୌଣସି ବ୍ୟକ୍ତିଙ୍କ ସହ କଥା ବାର୍ତ୍ତା କରିବାକୁ ଋଷ୍ ପ୍ରସ୍ତୁତ ଅଛି । ପୁଟିନ୍ ଏକ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ବର୍ଷ ବର୍ଷ ଧରି ଟ୍ରମ୍ପଙ୍କ ସହ କଥା ହୋଇନାହାନ୍ତି, କିନ୍ତୁ ଯୁଦ୍ଧ ବିଷୟରେ ଆଲୋଚନା କରିବା ପାଇଁ ତାଙ୍କୁ ଭେଟିବାକୁ ଇଚ୍ଛୁକ ଅଛନ୍ତି ।
ସେପଟେ ଋଷ୍ ଦୁର୍ବଳ ସ୍ଥିତିରେ ଥିବା ଦାବିକୁ ପୁଟିନ୍ ଖଣ୍ଡନ କରିଛନ୍ତି । ୨୦୨୨ରେ ୟୁକ୍ରେନ୍ ଆକ୍ରମଣ ପରେ ଦେଶ ଅଧିକ ଶକ୍ତିଶାଳୀ ହୋଇଛି ବୋଲି ସେ କହିଛନ୍ତି । ପୁଟିନ୍ କହିଛନ୍ତି ଯେ ଋଷ୍ ଆଲୋଚନା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ କିଭ୍ ମଧ୍ୟ ଏକ ଚୁକ୍ତି ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି ସେ ଜୋର ଦେଇଥିଲେ । ସ୍ଥାୟୀ ଶାନ୍ତି ଚୁକ୍ତି ସପକ୍ଷରେ ଅସ୍ଥାୟୀ ଅସ୍ତ୍ରବିରତି ସମ୍ଭାବନାକୁ ପୁଟିନ୍ ପ୍ରତ୍ୟାଖ୍ୟାନ କରିଛନ୍ତି ।