fbpx

ସିଏସକେର ପ୍ରଥମ ଅଧିନାୟକ ଭାବେ ଆଇପିଏଲରେ ଶତକ ଅର୍ଜନ କଲେ ଗାୟକୱାଡ

ନୂଆଦିଲ୍ଲୀ: ଆଜି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏକ ବଡ଼ ରେକର୍ଡ ସ୍ଥାପିତ ହୋଇଛି । ସିଏସକେର ପ୍ରଥମ ଅଧିନାୟକ ଭାବେ ଋତୁରାଜ ଗାୟକୱାର୍ଡ ଶତକ ଅର୍ଜନ କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୧୦ ରନ ସଂଗ୍ରହ କରିଥିବା ବେଳେ ଋତୁରାଜ ୧୦୮ ରନ୍ (୬୦ଟି ବଲ) କରି ଅପରାଜିତ ରହିଥିଲେ । ତେବେ ଏହି କ୍ରମରେ ଋତୁରାଜ ସିଏସକେର ପୂର୍ବତନ ଅଧିନାୟକ ତଥା କ୍ୟାପଟେଲ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ଆଜି ଗାୟକୱାଡ ଖେଳିଥିବା ଶତକୀୟ ପାଳିରେ ୩ଟି ଛକା ଓ ୧୨ଟି ଚୌକା ମାରିଥିଲେ । ସେ ୫୬ଟି ବଲରେ ନିଜର ଶତକ ପୂରଣ କରିଥିଲେ । ଗୋଟିଏ ପଟେ ଓପନର ଅଜିଙ୍କ୍ୟ ରାହାଣେ, ଡାରିଲ ମିଚେଲ ଓ ରବିନ୍ଦ୍ର ଜାଡେଜାଙ୍କ ପରି ଷ୍ଟାର ବ୍ୟାଟ୍ସମ୍ୟାନମାନେ ଜଣଙ୍କ ପରେ ଜଣେ ଆଉଟ୍ ହୋଇଯାଇଥିବା ବେଳେ ଅନ୍ୟପଟେ ଗାୟକୱାଡ ନିଜର ଅଧିନାୟକ ଇନିଂସ ଖେଳିଥିଲେ । ଏଥିରେ ତାଙ୍କୁ ସହାୟତା କରିଥିଲେ ଶିବମ୍ ଦୁବେ (୬୬) । ଏହା ପୂର୍ବରୁ ସିଏସକେ ଅଧିନାୟକ ଭାବେ ସର୍ବାଧିକ ଇନିଂସ ମାହିଙ୍କ ନାମରେ ରହିଥିଲା । ୨୦୧୯ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୋନୀ ୮୪ ରନରେ ଅପରାଜିତ ରହିଥିଲେ । ଧୋନୀ ଅଧିକାଂଶ ସମୟରେ ମଧ୍ୟମକ୍ରମରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ତେଣୁ ତାଙ୍କ ନିକଟରେ ଶତକ ଅର୍ଜନ କରିବାର ସୁଯୋଗ ନଥାଏ । ତେବେ ଗାୟକୱାଡ ଓପନିଂ କରିଥିବାରୁ ସେ ଆଜି ସେହି ସୁଯୋଗ ହାତଛଡ଼ା କରିନଥିଲେ ।

Get real time updates directly on you device, subscribe now.