fbpx

ସଚିନ ପାଇଲଟଙ୍କ ସହ ନୁହେଁ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ… ବିଜେପିରେ ସାମିଲ ନେଇ ଏମିତି କହିଲେ କଂଗ୍ରେସ ନେତା

ଜୟପୁର : ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ସଚିନ ପାଇଲଟ୍ ପାର୍ଟି ଛାଡିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । କିନ୍ତୁ ସେ ଦଳ ଛାଡିବେ ନାହିଁ ବୋଲି କହିଛନ୍ତି ସଚିନ । ଶୁକ୍ରବାର ନିଜ ପିତାଙ୍କ ଶ୍ରାଦ୍ଧଦିବସ ଅବସରରେ ସଚିନ ପାଇଲଟ୍ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ତାଙ୍କୁ ଏବେ କଂଗ୍ରେସ ବିମାନରୁ ଓହ୍ଲାଇବାର ନାହିଁ । କେବଳ ଏତିକି ନୁହେଁ ବିଜେପି ନେତା ରୀତା ବହୁଗୁଣା ଯୋଶୀଙ୍କ ବୟାନକୁ ନେଇ ମଧ୍ୟ ସଚିନ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ରୀତା ବହୁଗୁଣା ଯୋଶୀ ସଚିନ ପାଇଲଟଙ୍କ ସହ ନୁହେଁ ବରଂ ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ ।

ବିଜେପି ନେତ୍ରୀ ରୀତା ବହୁଗୁଣା କହିଥିଲେ ଯେ, ସେ ସଚିନ ପାଇଲଟଙ୍କ ସହ କଥା ହୋଇଛନ୍ତି । ପାଇଲଟ୍ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହା ପରେ ରାଜନୀତି ଆହୁରି ସରଗରମ ହୋଇ ଉଠିଛି । ଏହାକୁ ନେଇ ପାଇଲଟ୍ କହିଛନ୍ତି ଯେ, ରୀତାଙ୍କ ଆଲୋଚନା ମୋ ସହ ନୁହେଁ ବରଂ ସଚିନ ତେନ୍ଦୁଲକରଙ୍କ ସହ ହୋଇଥିବ । ଏହା ପୂର୍ବରୁ ମଧ୍ୟ ଅନେକ ଥର ସଚିନ ପାଇଲଟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇ ସାରିଛି । କିନ୍ତୁ ସେ ପ୍ରତ୍ୟେକ ଥର ଏହି କଳ୍ପନା ଜଳ୍ପନାକୁ ଖାରଜ କରି ଆସିଛନ୍ତି । ବୁଧବାର ବରିଷ୍ଠ ଯୁବ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ସଚିନଙ୍କୁ ନେଇ ପୁଣି ଥରେ ଜାତୀୟ ରାଜନୀତିରେ କୋଳାହୋଳ ସୃଷ୍ଟି ହୋଇଥିଲା ।

 

ଅନ୍ୟପଟେ ସଚିନ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମଧ୍ୟ ତାଙ୍କର ତିକ୍ତତା ଜାରି ରହିଛି । ପାଇଲଟଙ୍କ ଗୋଷ୍ଠୀ ପାର୍ଟି ହାଇକମାଣ୍ଡଙ୍କ ସହ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଲାଗୁଛି ଏଥର କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ମନେଇବାରେ ସଫଳ ହୋଇଛନ୍ତି । ଏହା ଏଥିପାଇଁ କୁହାଯାଉଛି କାରଣ ଶୁକ୍ରବାର ନିଜ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସଚିନ ପାଇଲଟ ଦୋସାରେ ଏକ ରାଲି ଆୟୋଜନ କରିବାକୁ ଯୋଜନା କରିଥିଲେ । ହେଲେ ଏହାକୁ ବାତିଲ କରିଛନ୍ତି । ଏବେ ସେ ବଢୁଥିବା ତୈଳ ଦର ନେଇ କଂଗ୍ରେସ ଦ୍ୱାରା ହେବାକୁ ଥିବା ରାଲିରେ ସାମିଲ ହେବେ ।

Get real time updates directly on you device, subscribe now.