fbpx

SAHARA India ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି: ୫୦୦୦ କୋଟି ଟଙ୍କା ଫେରସ୍ତ କରାଯିବ, ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି ତେବେ ଆପଣଙ୍କର ପାଇଁ ଏକ ଖୁସି ଖବର । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଗ୍ରାହକଙ୍କ ଅର୍ଥ ସାହାରାରେ ଫଶି ରହିଛି । ଏନେଇ ସାହାରା ଓ ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ତେବେ ଏହା ମଧ୍ୟରେ ନିବେଶକଙ୍କ ପାଇଁ ସର୍ବୋଚ୍ଚ ଅଦାଲତରୁ ଏକ ଆଶ୍ୱସ୍ତିକର ଖବର ଆସିଛି ।

ସୂଚନା ମୁତାବକ, ସାହାରା-ସେବୀର ୨୪ ହଜାର କୋଟିର ମୋଟ ଫଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ହୋଇଥିବା ଯାଚିକାକୁ ମଞ୍ଜୁରୀ ମିଳିଛି । ଏହି ୨୪ ହଜାର କୋଟି ଫଣ୍ଡରୁ ୫ ହଜାର କୋଟି ଆବଣ୍ଟନ କରାଯିବା ନେଇ ଯାଚିକା ଦାୟର ହୋଇଥିଲା । ଏହାଫଳରେ କେନ୍ଦ୍ର ସରକାର ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରିପାରିବେ ବୋଲି ସେଥିରେ ଉଲ୍ଲେଖ କରିଥିଲେ । ଏବେ ସୁପ୍ରିମକୋର୍ଟ ଏହି ଯାଚିକା ଉପରେ ଶୁଣାଣି କରି ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି ।

ଏହି ଯାଚିକାକୁ ମଞ୍ଜୁରୀ ମିଳିବା ପରେ ଏବେ ସରକାର ପାଖାପାଖି ୧.୧ କୋଟି ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରିବାର ରାସ୍ତା ପରିଷ୍କାର ହୋଇଯାଇଛି । ଅନ୍ୟପକ୍ଷରେ ସାହାରା ଆଗରେ ଏକ ବଡ଼ ମୁସ୍କିଲ ସୃଷ୍ଟି ହୋଇଛି । ନିବେଶକଙ୍କ ପକ୍ଷରୁ ଜମା ହୋଇଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ତ୍ୱରିତ ଭାବେ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏହି ୫ ହଜାର କୋଟି ଅର୍ଥକୁ ୧.୧ କୋଟି ନିବେଶକଙ୍କୁ ପ୍ରଦାନ କରାଯିବ । ଏହାପୂର୍ବରୁ ସାହାରା ଗ୍ରୁପର ରିୟଲ ଇଷ୍ଟେଟ କମ୍ପାନୀଠାରୁ ୬.୫୭ କୋଟି ଟଙ୍କା ଆଦାୟ କରାଯାଇଥିଲା । ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟ ଓ ଅନ୍ୟ ଡିଫଲ୍ଟରଙ୍କଠାରୁ ଏହି ଅର୍ଥ ସଂଗ୍ରହ କରାଯାଇଥିଲା । ଗତ ବର୍ଷ ଜୁନରେ ସାହାରା ୬ କୋଟି ପଇଠ କରିବାରେ ବିଫଳ ହୋଇଥିଲା । ତେଣୁ ଚଳିତ ବର୍ଷ ସେବି ଅର୍ଥ ଆଦାୟ ପ୍ରକ୍ରିୟା ଆରମ୍ଭ କରିଥିଲା ।

Get real time updates directly on you device, subscribe now.