fbpx

ନରସିଂହପୁର ପରେ ସମ୍ବଲପୁର, ଏଠିବି ଗୁଳିମାଡ଼ରେ ହାତୀର ମୃତ୍ୟୁ

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ହାତୀ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ଗୁରୁବାର ହାତୀ ମୃତ୍ୟୁ ସଂପର୍କରେ ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଡିଏଫଓ । ପ୍ରେସମିଟରେ ଡିଏଫଓ କହିଛନ୍ତି ହାତୀକୁ ଗୁଳିମାଡ଼ ହୋଇଥିଲା ଫଳରେ ହାତୀ ଦେଶରେ ଇନଫେକ୍ସନ ହୋଇଥିଲା, ପରେ ସେହି ଇନଫେକ୍ସନ ବଢ଼ି ସେଫ୍ଟିସେମିଆରେ ପରିଣତ ହୋଇଥିଲା । ଆଉ ଧୀରେ ଧୀରେ ତା’ର ବିଭିନ୍ନ ଅଙ୍ଗ ମଧ୍ୟ ଅକାମୀ ହୋଇଯାଇଥିଲା ଫଳରେ ହାତୀଟିର ମୃତ୍ୟୁ ହୋଇଥିଲା ।

ତେବେ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖାଯିବା ସହ ସେମାନଙ୍କ ଘରେ ଚଢ଼ଉ କରାଯାଇଛି ଏବଂ ସେମାନଙ୍କ ଠାରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବା ନେଇ କହିଛନ୍ତି ଡିଏଫଓ ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଛି ଏବଂ ମାମଲାରେ ୭ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏଫଓ ।

ସୂଚନାଯୋଗ୍ୟ, ସାପଲହରା ସ୍ଥିତ ଏକ ପୋଖରୀରେ ପାଣି ପିଇବାକୁ ଆସି ଫସି ରହିଥିଲା ଏକ ହାତୀ । ହାତୀଟି ବହୁଦିନ ଧରି ଅସୁସ୍ଥ ଥିବାରୁ ପାଣି ଭିତରୁ ବାହାରି ପାରୁନଥିଲା । ଖବର ପାଇ ବନ ବିଭାଗ ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପ୍ରାୟ ୫ ଦିନ ପାଣିରେ ଫସି ରହିବା ପରେ ଗତ ମଙ୍ଗଳବାର ହାତୀଟିକୁ ପାଣିରୁ ବାହାର କରାଯାଇଥିଲା । କିନ୍ତୁ ପାଣିରୁ ବାହାର କରିବାର କିଛି ସମୟ ମଧ୍ୟରେ ହାତୀଟିର ମୃତ୍ୟୁ ହୋଇଯାଇଥିଲା । ଆଉ ଏବେ ଗୁଳିମାଡ଼ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଘଟଣାକୁ ନୂଆ ମୋଡ଼ ଦେଇଛି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଟକ ନରସିଂହପୁର ଜୟପୁର ବନ୍ୟାଞ୍ଚଳରେ ଏକ ହାତୀକୁ ଗୁଳି କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଥମି ନଥିବା ବେଳେ ପୁଣି ଗୁଳିମାଡ଼ ଯୋଗୁଁ ହାତୀର ମୃତ୍ୟୁ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.