fbpx

ପୋଲିସର ବର୍ବରତା: ଥାନା ଭିତରେ ଅଭିଯୁକ୍ତଙ୍କୁ ନିର୍ଘାତ ମାଡ ମାରିଲେ ସମ୍ବଲପୁର ଥାନାଧିକାରୀ

ସମ୍ବଲପୁର, ୦୬/୦୫ (ଓଡ଼ିଶା ଭାସ୍କର) : ସୀମା ପାର୍ କଲା ପୋଲିସ୍ ବର୍ବରତା । ଥାନା ଭିତରେ ଅଭିଯୁକ୍ତଙ୍କୁ ନିର୍ଘାତ ମାଡି ମାରିଲେ ସମ୍ବଲପୁର ପୋଲିସ୍ । ଅଭିଯୁକ୍ତଙ୍କୁ ଏତେ ମାରିଛନ୍ତି ଯେ, ପିଠିରୁ ଆରମ୍ଭ କରି ଗୋଡ ଯାଏ ସବୁଆଡେ ନୋଳା ବସିଯାଇଛି । ଏପରି ନିର୍ଘାତ ମାଡ ମାରିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଦେଇଛନ୍ତି । କିନ୍ତୁ ମାଡ ବିଷୟ ଲୁଚେଇ ରଖିଥିବା ବେଳେ ଅଭିଯୁକ୍ତ ଜଣକ କୋର୍ଟରେ ସବୁ କଥା କହିବା ପରେ ଏବେ ଘଟଣା ସାମନାକୁ ଆସିଛି । ତେବେ ପୋଲିସ୍ ବର୍ବରତାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ମାରୱାଡିପଡାର ମାନସ ମୁନ୍ଦ୍ରା(୨୦) । କୋର୍ଟରେ ଏହି ବିଷୟ ପଦାକୁ ଆସିବା ପରେ ମାନସର ଚିକିତ୍ସା ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୁଅକୁ ଏପରି ଅସହ୍ୟ ମାଡ ମରାଯାଇଥିବାରୁ ବାପା ମା ନ୍ୟାୟ ଦାବି କରିଛନ୍ତି ।

ସୁଚନା ଅନୁସାରେ, ସମ୍ବଲପୁରରେ ଆଇପିଏଲ୍ ବ୍ୟାଟିଂ ହେଉଥିବା ନେଇ ପୋଲିସ୍ ଖବର ପାଇଥିଲା । ଏହାପରେ ଗତ ୨୩ ତାରିଖ ରାତିରେ ପୋଲିସ୍ ଟାଉନ୍ ଥାନା ଅନ୍ତର୍ଗତ ବୈଦ୍ୟନାଥ ଛକରୁ ଶୁଭମ୍ ସାହୁକୁ ଗିରଫ କରିଥିଲା । ଏଥିସହିତ ଶୁଭମ୍ ସହ ଥିବା ମାନସକୁ ମଧ୍ୟ ପୋଲିସ୍ ଉଠାଇ ଆଣିଥିଲା । କିନ୍ତୁ ପ୍ରମାଣ ଅଭାବରୁ ମାନସକୁ ପୋଲିସ୍ ଛାଡି ଦେଇଥିଲା ଏବଂ ଏହି ମାମଲାରେ ଶୁଭମ୍ ସହ ଅନ୍ୟଜଣଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଗତ ୨ ତାରିଖରେ ପୁଣି ଥରେ ମାନସକୁ କେଉଁ କାରଣରୁ ପୋଲିସ୍ ଉଠାଇ ନେଇଥିଲା । ଏହାପରେ ପୋଲିସ୍ ଗାଡ଼ିରେ ମାନସକୁ ନେଇ ଜଣେ ଯୁବକ ଘରକୁ ଯାଇଥିଲା । ଉକ୍ତ ଘରେ ଅନ୍ୟ ଜଣେ ଅଭିଯୁକ୍ତ ସମ୍ମୁଖରେ ପୋଲିସ୍ ମାନସକୁ ଚାପୁଡ଼ା ମାରିଥିଲା । ଏହାପରେ ତାକୁ ଥାନାର ଏକ କୋଠରୀରେ ରଖି ଖୋଦ୍ ଏସ୍ପି ପାଇପ୍ ଓ ଲାଠିରେ ନିର୍ଘାତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ମାଡ଼ ଫଳରେ ମାନସ ପିଠି ଫାଟି ଯାଇଥିବା ବେଳେ ଅଣ୍ଟା ଓ ଗୋଡ଼ରୁ ମଧ୍ୟ ନୋଳା ଉଠିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଇପିଏଲ୍ ବେଟିଂ ଘଟଣାରେ ପୋଲିସ୍ କିଛି ଯୁବକଙ୍କୁ ଉଠାଇଥିବା ନେଇ ଗଣମାଧ୍ୟମକୁ ଖବର ମିଳିବା ପରେ ପୋଲିସ୍ ତରବରିଆ ଭାବେ ସୋମବାର ରାତିରେ ମାନସ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ପ୍ରେସ୍ ବିବୃତି ପ୍ରଦାନ କରିଥିଲା । ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ଏହି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଏହି ମାମଲାରେ ମାନସର ବାପା ଗୋପାଲ ମୁନ୍ଦ୍ରା ପୁଅ ପ୍ରତି ଏପରି ଅମାନୁଷିକ ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ସେ ଗଣମାଧ୍ୟମ ସାମନାରେ କହିଛନ୍ତି ଯେ, ଯଦି ମୋ ପୁଅ କିଛି ଅପରାଧ କରିଥିଲା ତେବେ ତାକୁ କୋର୍ଟ ଚାଲାଣ ନକରି କାହିଁକି ୩ ଦିନ ଧରି ଥାନାରେ ରଖି ମାଡ ମାରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

 

Get real time updates directly on you device, subscribe now.