fbpx

ୟୁଟ୍ୟୁବ ବଦଳାଇଲା ଭାଗ୍ୟ, ଲକ୍ଷାଧିକ ଟଙ୍କାର ମାଲିକ ସମ୍ବଲପୁରର ଆଦିବାସୀ ଯୁବକ

ଭୁବନେଶ୍ୱର,ସମ୍ବଲପୁର(ଓଡ଼ିଶା ଭାସ୍କର): ଏମିତ ବି ବଦଳେ ଭାଗ୍ୟ । ୟୁଟ୍ୟୁବର୍ ରୁ ଏବେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଛନ୍ତି ଓଡ଼ିଶାର ଜଣେ ଯୁବକ । ତେବେ ସେ କୌଣସି ଜଣାଶୁଣା ଚେହେରା କି ସେଲିବ୍ରେଟି ନଥିଲେ, ସାଧାରଣ ଭାବେ ଦିନ ମଜୁରିଆ । ଓଳିଏ ଖଟିଲେ ଓଳିଏ ଖାଆନ୍ତି । କିନ୍ତୁ ଆଦିବାସୀ ଯୁବକ ଜଣଙ୍କ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗ୍ରାମର ଇଶାକ ମୁଣ୍ଡା ।

ଇଶାକ ସମ୍ପ୍ରତି ୟୁଟ୍ୟୁବରେ ଭିଡିଓ କରି ଘରେ ଘରେ ବେଶ ପରିଚିତ । ଭିଡିଓରେ ସେ ନିତିଦିନ ଅତିବାହିତ କରୁଥିବା ଜୀବନ ଶୈଳୀକୁ ଲୋକଙ୍କ ନିକଟକରେ ପହଞ୍ଚାଉଛନ୍ତି । ଖାଇବା ଶୋଇବା ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ସହ କାଟୁଥିବା ସମୟକୁ ସେ ନିଜ ଭିଡିଓରେ ସେଆର କରନ୍ତି । ଇଶାକଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ସପ୍ତମ ଶ୍ରେଣୀ ପାସ । ଗାଁରେ କୁଲି ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି । କରୋନା ଯୋଗୁ କାମଧନ୍ଦା ହରାଇ ବେରୋଜଗାର ହୋଇପଡ଼ିଥିଲେ ଇଶାକ । ସେହି ସମୟରେ୍ ନିଜ ପାଖେ ଥିବା ଏକ ଛୋଟିଆ ମୋବାଇଲରେ ୟୁଟ୍ୟୁବ ଭିଡିଓ ଦେଖି ସମୟ କାଟୁଥିଲେ । ପରେ ୟୁଟ୍ୟୁବ ଭିଡିଓ କଲେ ଟଙ୍କା ମିଳେ ବୋଲି ସେ ଜାଣିବାକୁ ପାଇଥିଲେ । ୨୦୨୦ ମାର୍ଚ୍ଚ ୨୬ରେ ଇଶାକ କଣ ଖାଏ ଏବଂ କିଭଳି ଖାଏ ତାହାର ଏକ ଭିଡିଓ କରି ନିଜ ଚ୍ୟାନେଲରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟଟିର ନାମ ସେ ରାଇସ ଆଣ୍ଡ ଇଣ୍ଡିଆନ ସମ୍ବର ଫାଷ୍ଟ ଇଟିଙ୍ଗ ନାମରେ ଅପଲୋଡ କରିଥିଲେ । ତାଙ୍କର ଏହି ପ୍ରଥମ ଭିଡିଓଟିକୁ ପ୍ରାୟ ୪ ଲକ୍ଷ ୯୭ ହଜାର ଲୋକ ଦେଖି ସାରିଲେଣି । ଏହାରି ମଧ୍ୟରେ ସେ ତାଙ୍କ ଚ୍ୟାନେଲରେ ୨୫୮ରୁ ଅଧିକ ଭିଡିଓ ମଧ୍ୟ ଅପଲୋଡ କରିଥିବା ଦେଖିବାକୁ ମିଳିଛି । କେବଳ ଖାଇବା ନୁହେଁ ବରଂ ସେ ତାଙ୍କ ପତ୍ନୀଙ୍କ ସମେତ ୩ ଛୁଆଙ୍କୁ ନେଇ ମଧ୍ୟ ଭିଡିଓ ଅପଲୋଡ କରିଥିବା ଦେଖିବାକୁ ମିଳିଛି ।

ୟୁଟ୍ୟୁବରେ ଇଶାକ ରହୁଥିବା ଭଙ୍ଗାଘରର ଏକ ଭିଡିଓ ଅପଲୋଡ ହୋଇଥିଲା । ଯାହାକୁ ଦେଖି ଭୁବନେଶ୍ୱର ଏକ ସଂସ୍ଥା ପକ୍ଷରୁ ପକ୍କା ଘର ନିର୍ମାଣ ପାଇଁ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିଥିଲା । ତିନିମାସ ପରେ ତାଙ୍କ ଆକାଉଣ୍ଟକୁ ଜୁନ ମାସରେ ପ୍ରଥମେ ୩୭ ହଜାର ଟଙ୍କା ଆସିଥିଲା । ପରେ ଜୁଲାଇ ମାସରେ ୫ ଲକ୍ଷ ଟଙ୍କା ଓ ପରେ ପୁଣି ୮୩ ହଜାର ଟଙ୍କା ଆସିଥିବା ସେ କହିଛନ୍ତି । କରୋନା ସମୟରେ ସେ ଏଭଳି ଟଙ୍କା ରୋଜଗାର କରି ଅତ୍ୟନ୍ତ ଖୁସି ଥିବା କହିଛନ୍ତି ।

Get real time updates directly on you device, subscribe now.