fbpx

ସଂସଦରେ ୭୬-୧୭୬ ଭୋଟ୍ ପାରିତ ହେବା ପରେ ସମଲିଙ୍ଗୀ ବିବାହକୁ ମିଲିଲା ମଞ୍ଜୁରି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମଞ୍ଜୁରି ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଗ୍ରୀସ୍। ଗ୍ରୀସ ହେଉଛି ପ୍ରଥମ ପାରମ୍ପରିକତାବାଦୀ ଖ୍ରୀଷ୍ଟିଆନ ଦେଶ ଯିଏ କି ଏଭଳି ବିବାହକୁ ବୈଧତା ପ୍ରଦାନ କରିଛି । ସମଲିଙ୍ଗୀ ବିବାହକୁ ବୈଧତା ଦେବା ପାଇଁ ଗ୍ରୀସ୍ ସଂସଦରେ ୭୬-୧୭୬ ଭୋଟ୍ ପାରିତ ହୋଇଛି । ଗ୍ରୀସରେ ସମଲିଙ୍ଗୀ ଦମ୍ପତିମାନେ ଏବେ ଆଇନଗତ ଭାବେ ସନ୍ତାନ ଗ୍ରହଣ କରିପାରିବେ । ଏହି ସଂକଳ୍ପ ପାରିତ ହେବା ପରେ ଗ୍ରୀକ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋଟାକିସ୍ କହିଛନ୍ତି, ନୂଆ ଆଇନ ସାହସିକତାର ସହ ଏହି ଗମ୍ଭୀର ଅସମାନତାକୁ ଶେଷ କରିଛି । କିନ୍ତୁ ଗ୍ରୀସର ଲୋକମାନେ ଏହି ନୂଆ ନିୟମକୁ ନେଇ ବିଭାଜିତ ହୋଇଛନ୍ତି । ଏଥେନ୍ସରେ ସମଲିଙ୍ଗୀ ବିବାହ ବିରୋଧରେ ଚର୍ଚ୍ଚ ସମର୍ଥକଙ୍କ ଶୋଭାଯାତ୍ରା । ଅର୍ଥୋଡକ୍ସ ଚର୍ଚ୍ଚର ମୁଖ୍ୟ ଆର୍ଚବିଶପ୍ ଲେରୋନିମୋସ୍ କହିଛନ୍ତି ଯେ ଏହି ପଦକ୍ଷେପ ଦେଶର ସାମାଜିକ ସୌହାର୍ଦ୍ଦ୍ୟକୁ କ୍ଷତି ପହଞ୍ଚାଇବ ।

ଗ୍ରୀକ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋଟାକିସ୍ ମତଦାନ ପୂର୍ବରୁ କହିଛନ୍ତି ଯେ ନୂତନ ଆଇନ ସମସ୍ତଙ୍କୁ ନାଗରିକ ବିବାହର ଅଧିକାର ସହିତ ଏହା ସହିତ ଆସୁଥିବା ଦାୟିତ୍ୱ ପ୍ରଦାନ କରିଛି ଏବଂ “ପରିବାରର ରୂପ ନିର୍ବିଶେଷରେ” ପିଲାଙ୍କ ଅଧିକାରକୁ ସୁରକ୍ଷିତ କରିବ। ଯଦିଓ ୟୁରୋପୀୟ ସଂଘର ଅନେକ ଦେଶ ସମଲିଙ୍ଗୀ ବିବାହକୁ ବୈଧତା ଦେଇଛନ୍ତି, ଗ୍ରୀସ ହେଉଛି ପ୍ରଥମ ସଂଖ୍ୟାଗରିଷ୍ଠ ଅର୍ଥୋଡକ୍ସ ଖ୍ରୀଷ୍ଟିଆନ ଦେଶ ଯିଏ କି ଏଭଳି ବିଲ୍କୁ ଅନୁମୋଦନ କରିଛି। ସମଲିଙ୍ଗୀ ନାଗରିକ ଭାଗିଦାରୀକୁ ଅନୁମତି ଦେବା ପାଇଁ ୨୦୧୫ରେ ପ୍ରଚଳିତ ପଦକ୍ଷେପ ଯଥେଷ୍ଟ ଥିଲା କିନ୍ତୁ ଏହି ଯୁକ୍ତିକୁ ଅଧିକାଂଶ ସାଂସଦ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଆଇନର ବିରୋଧୀମାନେ କହିଛନ୍ତି।

ଏହି ନୂଆ ଆଇନ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ପିତାମାତାଙ୍କ ଉତ୍ତରାଧିକାରୀ ହୋଇପାରିବେ । ଯଦିଓ ଗ୍ରୀସରେ ପୁରୁଷ ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ମାଧ୍ୟମରେ ସନ୍ତାନ ଜନ୍ମ କରିବାକୁ ଅନୁମତି ଦେବା ଏହି ବିଲ୍ ରେ ନାହିଁ। ଏହା କେବଳ ସେହି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ଯେଉଁମାନେ ପ୍ରସବ କରିବାରେ ଅସମର୍ଥ । ଗତ ବର୍ଷ ଜୁନ୍ ରେ ଦ୍ବିତୀୟ ଥର ବିପୁଳ ବିଜୟ ହାସଲ କରିବା ପରେ ମିତ୍ସୋଟାକିସ୍ ସମଲିଙ୍ଗୀ ବିବାହକୁ ବୈଧତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ଯାହା କି ଦେଶର ଆଧୁନିକୀକରଣ ପାଇଁ ତାଙ୍କର ପ୍ରତିଶ୍ରୁତିର ଏକ ଅଂଶ ଥିଲା। ଗ୍ରୀସ୍ ସମେତ ୟୁରୋପୀୟ ସଂଘର ୨୭ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୬ଟି ରାଷ୍ଟ୍ର ଏବେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇଛନ୍ତି।

Get real time updates directly on you device, subscribe now.