fbpx
BSKY
BJD MC SKY
BJD YOUTH SKY

ରଜରେ କୋଭିଡ୍‌ ନିୟମକୁ ଫୁ କରି ଦୋଳି ଖେଳିଳେ ସରପଞ୍ଚ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି (ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ମୃତ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ କରୋନା ମହାମାରୀ ଦ୍ୱିତୀୟ ଲହରୀ ତା’ର କାୟା ବିସ୍ତାର କରୁଥିବା ବେଳେ ଏଥିରେ ରୋକ୍‌ ଲଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରିବା ସହ ସମଗ୍ର ଓଡିଶାକୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଗ୍ରାମାଞ୍ଚଳମାନଙ୍କରେ ସଂକ୍ରମଣରେ ରୋକ୍‌ ଲଗେଇବା ତଥା କୋଭିଡ଼୍‌ ପରିଚାଳନାର ତଦାରଖ କରିବା ନିମନ୍ତେ ଜନପ୍ରତିନିଧି ତଥା ସରପଞ୍ଚମାନଙ୍କୁ ଗୁରୁଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା ।

ଓଡିଶାର ମାଲକାନଗିରି ସମେତ ୧୭ଟି ଜିଲ୍ଲାରେ କରୋନା ସକ୍ରିୟଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଉକ୍ତ ଜିଲ୍ଲାମାନଙ୍କରେ ସରକାର କରୋନା କଟକଣା ନିୟମକୁ କୋହଳ କରିଛନ୍ତି । ଲକ୍‌ଡାଉନ୍‌ ହେତୁ ଏ ବର୍ଷର ରଜ ଫିକା ପଡ଼ିଥିବା ବେଳେ ସରକାରଙ୍କ ନିୟମକୁ ଅବମାନନା କରି ଏଭଳି ମହାମାରୀ ସମୟରେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ସରପଞ୍ଚ ମଙ୍ଗୁ ଖିଲ କରୋନା କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ରଜ ଦୋଳି ଖେଳୁଥିବାର ଭିଡ଼ିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ସରପଞ୍ଚ ମହୋଦୟ ନିଜେ ନିଜର ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରିଥିବା ଜଣାପଡ଼ିଛି । ତେବେ ଭାଇରାଲ ଭିଡିଓଟିରେ ସରପଞ୍ଚ ମହୋଦୟ ନିଜେ ଦୋଳିରେ ବସିଥିବା ବେଳେ ଦୁଇଜଣ ମହିଳା ତାଙ୍କୁ ଝୁଲାଉଥିବା ସହ ସେହି ସ୍ଥାନରେ ଥିବା ସମସ୍ତ ମହିଳା ଓ ଶିଶୁମାନେ କରୋନା କଟକଣାକୁ ଉଲ୍ଲଂଘନ କରି ଯଥା ସାମାଜିକ ଦୂରତା ଓ ମାସ୍କ ପରିଧାନ ନକରି ସେହି ସ୍ଥାନରେ ଉପସ୍ଥିତ ଥିବା ଜଣାପଡିଛି ।

ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଜଣେ ଦାୟିତ୍ୱବାନ ଜନପ୍ରତିନିଧି ସରପଞ୍ଚ ଗ୍ରାମବାସୀଙ୍କ ଦ୍ୱାରା ପାଳନ ହେଉଥିବା  ପର୍ବକୁ ବାରଣ କରିବା ପରିବର୍ତ୍ତେ କିପରି କରୋନା କଟକଣାକୁ ଅବମାନନା କରି ନିଜେ ଗ୍ରାମବାସୀଙ୍କ ସହ ସାମିଲ ହୋଇ ରଜ ମଉଜ କରିଛନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏଥିସହ ସରପଞ୍ଚଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି । ତେବେ ଏ ନେଇ ଆମେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଙ୍ଗୀଙ୍କୁ ପଚାରିବାରୁ ସେ ଏହି ଘଟଣାର ତଦନ୍ତ କରି ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.