fbpx

ପ୍ରେମରେ ପକାଇଦେବ ସରସତିଆ ମିଠା: ଦେଶ ବିଦେଶରେ ବଢିବାରେ ଲାଗିଛି ଚାହିଦା

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ସହର ହେଉଛି ସମ୍ବଲପୁର । ଏଠାକାର ବସ୍ତ୍ର ସାଙ୍ଗକୁ ଏହାର ଭାଷା, ସଂସ୍କୃତି ସମ୍ବଲପୁରକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ତେବେ ଏଥିସହ ସମ୍ବଲପୁର ସହରକୁ ଅନ୍ୟ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ସହରର ସ୍ୱତନ୍ତ୍ର ତିନିକୋଣିଆ ମିଠା ସରସତିଆ । ସହରକୁ ବୁଲି ଆସୁଥିବା ସବୁ ଲୋକ ଏହାର ସ୍ୱାଦ ନେଇ ବେଶ ପରିଚିତ । ସରସତିଆ ମିଠା ଥରେ ଯିଏ ଖାଇଛି, ସାରା ଜୀବନ ଏହାର ସ୍ୱାଦକୁ ସେ ମନେ ରଖିଥିବ ।

ବର୍ଷ ବର୍ଷ ଧରି ସମ୍ବଲପୁର ସହରର କୁଞ୍ଜେଲପଡା ବୁଢ଼ୀମା ଗଳିର ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ତିଆରି ଚାଲିଛି ଏହି ସରସତିଆ । ପ୍ରାୟ ୧୬୦ ବର୍ଷ ହେବ ପ୍ରଭୁଲାଲଙ୍କ ଜେଜେବାପା ଅମଳରୁ ଏହି ସରସତିଆ ତିଆରି ହେଉଥିବା କହିଛନ୍ତି । ଗ୍ରାହକଙ୍କୁ କିଛି ନୂଆ ପରଷିବା ପାଇଁ ପ୍ରଭୁଲାଲଙ୍କ ଜେଜେବାପା ବେଣିମାଧବ ଗୁପ୍ତା ଆବିଷ୍କାର କଲେ ଗଞ୍ଜେର ଗଛ ଅଠାର ବ୍ୟବହାରକୁ । ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ମିଠା ପ୍ରସ୍ତୁତ କରାଯାଇଥାଏ । ପ୍ରଥମ କରି ସରସ୍ୱତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ହୋଇଥିବା କୁହାଯାଏ । ଏହାକୁ ତିଆରି କରିବା ସହଜ ଲାଗୁଥିଲେ ମଧ୍ୟ ତିଆରି କରିବାର ରହିଛି ସ୍ୱତନ୍ତ୍ର କଳା ।

ସମ୍ବଲପୁରରେ ବର୍ତ୍ତମାନ ସରସତିଆ ମିଠାର ଅନ୍ୟ ପରିଚୟ ହେଲେ ପ୍ରଭୁଲାଲ ଗୁପ୍ତା । କାରଣ ତାଙ୍କ ହାତ ତିଆରି ସରସତିଆର ସ୍ୱାଦ ଖୁବ ନିଆରା । ସେଥିପାଇଁ ପ୍ରତ୍ୟକ ଦିନ ସକାଳୁ ତାଙ୍କ ଦୋକାନରେ ଲୋକଙ୍କ ଭିଡ଼ ଜମିଥାଏ । ଯିଏ ଯେଉଁଠୁ ସମ୍ବଲପୁର ଆସିଲେ ଏହି ଦୋକାନକୁ ଧାଇ ଆସନ୍ତି ସରସତିଆ କିଣିବା ପାଇଁ । ତେବେ ପ୍ରତିଦିନ ପ୍ରଭୁଲାଲ ଗୁପ୍ତାଙ୍କ ପରିବାରର ସମସ୍ତେ ସକାଳୁ ସକାଳୁ ଏହି ସରସତିଆ ତିଆରିରେ ଲାଗିପଡନ୍ତି । ପ୍ରଭୁଲାଲ ଗୁପ୍ତାଙ୍କ ପରିବାର ପିଢ଼ି ପିଢ଼ି ଧରି ଏହି ସରସତିଆ ତିଆରି କରି ଆସୁଛନ୍ତି । ବର୍ତ୍ତମାନ ଚତୁର୍ଥ ପିଢ଼ି ଅର୍ଥାତ ମଧ୍ୟ ଏଥିରେ ନିଜକୁ ନିୟୋଜିତ କରିଛନ୍ତି ପ୍ରଭୁଲାଲଙ୍କ ପୁଅ । ସରସତିଆ ମିଠା ଏବେ ଧୀରେ ଧୀରେ ଅଧିକ ଲୋକଲୋଚନକୁ ଆସିବା ସହ ରାଜ୍ୟ ବାହାରେ ତଥା ବିଦେଶରେ ଲୋକଙ୍କ ମଧ୍ୟରେ ଏହାର ଚାହିଦା ପ୍ରତିଦିନ ବଢିବାରେ ଲାଗିଛି ।

Get real time updates directly on you device, subscribe now.