fbpx

କର୍ଣ୍ଣାଟକ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାରେ ୨୦୦୦ଟଙ୍କା ସହାୟତା ପାଇବ କିଏ? ଶାଶୂ ନା ବୋହୂ, ସେ ନେଇ ଲାଗିଛି ଝଗଡା

ନୂଆଦିଲ୍ଲୀ:ସରକାର ରାଜ୍ୟର ହେଉ କି କେନ୍ଦ୍ରର ଏହାର ଲକ୍ଷ୍ୟ ରହିଥାଏ ନିଜ ନାଗରିକଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା । ଏଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । କର୍ଣ୍ଣାଟକ ସରକାର ମଧ୍ୟ ଏହି ଉଦ୍ଦେଶ୍ୟ ନେଇ ନିଜ ରାଜ୍ୟରେ ମହିଳାଙ୍କ ଲାଗି ଗୃହଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ଏବେ ଏହି ଯୋଜନାର ଓଲଟା ପରିଣାମ ଦେଖିବାକୁ ମିଳୁଛି । ଏହି ଯୋଜନା ଜରିଆରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆର୍ଥିକ ରାଶି ଲାଗି ପରିବାରରେ ମହିଳାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଛି ।

ଏହି ଯୋଜନାର ଲକ୍ଷ୍ୟ ରହିଥିଲା ଗରିବ ଓ ଅସହାୟ ମହିଳାଙ୍କୁ ପ୍ରତ୍ୟକ୍ଷ ଭାବରେ ପ୍ରତି ମାସରେ ୨୦୦୦ ଟଙ୍କା ଆର୍ଥିକ ସହାୟତା ଦେବା । ଗୃହଲକ୍ଷ୍ମୀ ନାମରେ ଚାଲୁଥିବା ଏହି ଯୋଜନା ଜରିଆରେ ଗରିବ ପରିବାରର କୌଣସି ଜଣେ ମହିଳାଙ୍କୁ ୨୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ତେବେ ଏହି ଯୋଜନାର ଆରମ୍ଭ ପରେ ପରିସ୍ଥିତି ଏପରି ହୋଇଛି ଯେ, ଏହି ପଇସା ଲାଗି ପରିବାରର ମୁଖିଆ ଶାଶୂ ଓ ଗୃହଲକ୍ଷ୍ମୀ ଭାବରେ ବୋହୂ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଛି । ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏହି ଅଜବ ଝଗଡାକୁ ନେଇ ଅଡୁଆରେ ପଡିଯାଇଛନ୍ତି ଓ ସରକାରଙ୍କୁ ଗୁହାରୀ କରିଛନ୍ତି କି ଯୋଜନାର ପଇସା କାହାକୁ ମଳିବ ସରକାର ତାହା ଖୁବ୍ ଶୀଘ୍ର ଧାର୍ଯ୍ୟ କରନ୍ତୁ ।

ଏହି ମାମଲା ନିର୍ବାଚନ ପରେ ସାମ୍ନାକୁ ଆସିଥିଲା ଯେତେବେଳେ କଂଗ୍ରେସ ଗରିବ ପରିବାରର ମୁଖିଆକୁ ୨୦୦୦ ଟଙ୍କା ନଗଦ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲା । କିନ୍ତୁ ଏହା ଉପରେ ସ୍ପଷ୍ଟ ନିର୍ଦ୍ଦେଶ ନ ଥିବାରୁ ଶାଶୂ ଓ ବୋହୂଙ୍କ ମଧ୍ୟରେ ପଇସା ନେବାକୁ ନେଇ ଝଗଡା ଆରମ୍ଭ ହୋଇ ଯାଇଛି । ପରିସ୍ଥିତି ଜଟିଳ ହେଉଥିବା ଦେଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲକ୍ଷ୍ମୀ ହବଲକର ଏହାକୁ ନେଇ ବୟାନ ଜାରି କରିିଛନ୍ତି । ସେ କହିଛନ୍ତି ଯୋଜନା ଜରିଆରେ ପଇସା ଶାଶୂକୁ ମିଳିବା ଉଚିତ । କାରଣ ଭାରତୀୟ ପରମ୍ପରା ଅନୁସାରେ ସେ ହିଁ ପରିବାରର ମୁଖିଆ । କିନ୍ତୁ ସେ ଚାହିଁଲେ ଏହି ସହାୟତା ରାଶିକୁ ବୋହୂ ସହିତ ବାଣ୍ଟି ପାରିବେ ।

ତେବେ ମାମଲା ଏପରି ଗମ୍ଭୀର ହୋଇଗଲା ଯେ ଏହାକୁ ନେଇ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକ ବସାଇବାକୁ ବାଧ୍ୟ ହୋଇଥିଲେ । ଗୁରୁବାର ବସିଥିବା ଏହି ବୈଠକରେ ପଇସା କାହାକୁ ମିଳିବ ଏ ନେଇ ଚର୍ଚ୍ଚା ହୋଇଥିଲା । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବଲକର କହିଛନ୍ତି ଏବେ ଏହାର ନିୟମ ଓ ସର୍ତ୍ତ ଧାର୍ଯ୍ୟ କରାଯାଇନାହିଁ ଓ ବିଭାଗ ଏହା ଉପରେ ମନ୍ଥନ କଲା ପରେ ସ୍ପଷ୍ଟ ନିୟମ ଲାଗୁ କରିବ ।

Get real time updates directly on you device, subscribe now.