fbpx

୭୫ତମ ସ୍ୱାଧୀନତା ଦିବସରେ SBI ଗ୍ରାହକଙ୍କୁ ଝଟକା: ବଢିବ EMIର ବୋଝ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ । ଏହାରି ମଧ୍ୟରେ ଭାରତର ସବୁଠୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ତରଫରୁ ଗ୍ରାହକମାନଙ୍କ ପାଇଁ ଲାଗିଛି ଏକ ଶକ୍ତ ଝଟକା । ନିଜର ମାର୍ଜିନାଲ କାଷ୍ଟ ବେସଡ ଲେଣ୍ଡିଙ୍ଗ ରେଟ(MCLR)ରେ ୨୦ ବେସିସ ପଏଣ୍ଟ ବୃଦ୍ଧି କରିଛି SBI । ଏହାପରେ ବ୍ୟାଙ୍କରୁ କରଜ ନେବା ମଧ୍ୟ ଆହୁରି ମହଙ୍ଗା ହୋଇ ପଡିବ । ତେବେ ଅଗଷ୍ଟ ୧୫, ୨୦୨୨ ଅର୍ଥାତ ଆଜିଠୁ ଏହି ନୂଆ ଦର ଲାଗୁ କରାଯିବ ।

ଏସବିଆଇର ଅଫିସିଆଲ ୱେବସାଇଟ ଅନୁସାରେ, ବିଭିନ୍ନ ଟେନ୍ୟୋର ଲୋନ ପାଇଁ MCLR ଦରରେ ବୃଦ୍ଧି କରାଯାଇଛି । ରେପୋ ରେଟରେ ବୃଦ୍ଧି କରାଯିବା ପରେ RBI ଦ୍ୱାରା ବ୍ୟାଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଚଳିତମାସର ପ୍ରଥମରୁ ହିଁ ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା RBI ।

ତେବେ ଏହି ପରିବର୍ତ୍ତନ ପରେ ଏବେ ଗୋଟିଏ ରାତିରୁ ୩ ମାସ ପାଇଁ MCLR ଦର ୭.୧୫ ପ୍ରତିଶତରୁ ବୃଦ୍ଧି ପାଇ ୭.୩୫ ପ୍ରତିଶତରେ ପହଞ୍ଚିଛି । ସେହିପରି ୬ ମାସର ଅବଧିର ଲୋନ ପାଇଁ ଏହାକୁ ୭.୪୫ରୁ ୭.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ଏକ ବର୍ଷ ଲୋନ ଉପରେ ଏହି ଦର ୭.୫୦ ପ୍ରତିଶତ ପରିବର୍ତ୍ତେ ୭.୭୦ ପ୍ରତିଶତ ଏବଂ ୨ ବର୍ଷ ଲୋନ ପାଇଁ ୭.୭୦ ପ୍ରତିଶତରୁ ୭.୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ୩ ବର୍ଷର ଅବଧି ପାଇଁ ୭.୮୦ ପ୍ରତିଶତରୁ ୮.୦୦ ପ୍ରତିଶତକୁ ପରିବର୍ତ୍ତନ ହୋଇଛି ସୁଧହାର ।

ଗତ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଭାରତରେ MCLR ସିଷ୍ଟମ ଲଞ୍ଚ କରିଥିଲା RBI । ଏହା କୌଣସି ବି ବ୍ୟାଙ୍କ ପାଇଁ ଏକ ଇଣ୍ଟରନାଲ ବେଞ୍ଚମାର୍କ ହୋଇପାରେ । MCLRରେ ବ୍ୟାଙ୍କମାନଙ୍କ ପାଇଁ ଲୋନ ଦେବାର ନ୍ୟୁନତମ ସୁଧହାର ଚୟନ କରାଯାଏ । ତେବେ ଏହି ପରିବର୍ତ୍ତନ ପରେ ଗ୍ରାହକମାନଙ୍କୁ EMI ଉପରେ ମଧ୍ୟ ବୋଝ ବୃଦ୍ଧି ପାଇବ । ଲୋନ ନେଉଥିବା ବ୍ୟକ୍ତିମାନଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ସୁଧହାର ପରିଶୋଧ କରିବାକୁ ହେବ ।

Get real time updates directly on you device, subscribe now.