fbpx

ଏସ୍‌ବିଆଇରେ ଆପଣଙ୍କର ସ୍ୟାଲେରୀ ଆକାଉଣ୍ଟ ଅଛି କି ? ଏମିତି କରନ୍ତୁ ଆବେଦନ ମିଳିବ ୨୦ ଲକ୍ଷ ଟଙ୍କାର ପର୍ଯ୍ୟନ୍ତ ଲୋନ୍

ନୂଆଦିଲ୍ଲୀ : ଯଦି ଆପଣଙ୍କ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ରେ ଦରମା ବା ସ୍ୟାଲେରୀ ଆକାଉଣ୍ଟ ଅଛି ତା’ହେଲେ ଲୋନ୍‌ ନେବାକୁ ଇଚ୍ଛୁକ ହେଲେ ମିଳିବ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ । ତେବେ କେବଳ ଯେ ଏସ୍‌ବିଆଇରେ ଦରମା ଆକାଉଣ୍ଟ ରହିବା ଦରକାର ତା’ ନୁହେଁ ଯେକୌଣସି ବ୍ୟାଙ୍କ୍‌ରେ ଦରମା ଆକାଉଣ୍ଟ ରହିଥିଲେ ଆକାଉଣ୍ଟଧାରୀଙ୍କୁ ଉକ୍ତ ବ୍ୟାଙ୍କ୍‌ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ଦେଇପାରିବ ।

ପ୍ରାପ୍ତ ସୂଚନାନୁଯାୟୀ, ଦରମା ଆକାଉଣ୍ଟଧାରୀଙ୍କ ନିମନ୍ତେ ଏସ୍‌ବିଆଇ ପକ୍ଷରୁ ଏସ୍‌ବିଆଇ କଷ୍ଟମାଇଜଡ୍‌ ପର୍ସନାଲ ଲୋନ୍‌ର ସୁଯୋଗ ସୃଷ୍ଟି କରାଯାଇଛି । ଏଥି ଅନ୍ତର୍ଗତ ବିବାହ, ବାହାରେ ଛୁଟି କାଟିବା, ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ଦରମା ଆକାଉଣ୍ଟଧାରୀ ଆବେଦନ କରିପାରିବେ। ଏହି ଲୋନ୍‌ ଆବେଦନକାରୀଙ୍କୁ କଣ୍ଟେକଲେସ୍‌ ଲୋଡିଂ ପ୍ଲାଟଫର୍ମ (ସିଏଲ୍‌ପି) ଜରିଆରେ ମିଳିପାରିବ । ତେବେ ଏହି ଲୋନ୍‌ ଅବେଦନକାରୀଙ୍କ ମାସିକ ବେତନ ସର୍ବନିମ୍ନ ୧୫ ହଜାର ଟଙ୍କା ହୋଇଥିବା ଦରକାର । ଆବେଦନକାରୀ ଯଦି କେନ୍ଦ୍ର, ରାଜ୍ୟ ବା ଅର୍ଦ୍ଧସରକାରୀ, କର୍ପୋରେଟ୍‌ ସେକ୍ଟର ଏବଂ ଜାତୀୟସ୍ତରର ଶିକ୍ଷାନୁଷ୍ଠାନର କର୍ମଚାରୀ ହୋଇଥିବା ଆବଶ୍ୟକ । ସେହିଭଳି ଲୋନ ଆବେଦନକାରୀଙ୍କ ବୟସ ୨୧ରୁ ୫୮ ବର୍ଷ ହୋଇଥିବ ଏବଂ ସେ ଉକ୍ତ ଅନୁଷ୍ଠାନରେ ଅତିକମ୍‌ରେ ୧ ବର୍ଷ ପର୍ଯ୍ୟନ୍ତ କାମ କରିସାରିଥିବେ । ଏହି ଲୋନ୍‌ର ମାସିକ ଇଏମ୍‌ଆଇ ୫୦%ରୁ ମଧ୍ୟ କମ୍‌ ରହିବ ବୋଲି ଏସ୍‌ବିଆଇ ସୂତ୍ରରୁ ପ୍ରକାଶ । ଏସ୍‌ବିଆଇର ଏହି ସ୍କିମ୍‌ରେ ଆବେଦନକାରୀ ସର୍ବନିମ୍ନ ୨୪ ହଜାର ଏବଂ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।

ଏଥିପାଇଁ ଆବେଦନକାରୀଙ୍କୁ କୌଣସି ଗ୍ୟାରେଣ୍ଟରର ଆବଶ୍ୟକତା ପଡ଼ିବ ନାହିଁ । ଏହି ଲୋନ୍‌ର ସୁଧହାର ୯.୮୫ରୁ ୧୧.୩୫%କୁ ଏସ୍‌ବିଆଇ ଧର୍ଯ୍ୟ କରିଛି । ତତ୍‌ସହିତ ଆବେଦନକାରୀଙ୍କୁ ପ୍ରୋସେସିଂ ଫି’ ବାବଦକୁ ତାଙ୍କୁ ମିଳିବାକୁ ଥିବା ଲୋନ୍‌ର ମାତ୍ର ୧.୫% ଦେୟ କରିବାକୁ ପଡ଼ିବ ଯାହାକି ସର୍ବନିମ୍ନ ୧ ହଜାର ଟଙ୍କା ଓ ସର୍ବାଧିକ ୧୫,୦୦୦ ଟଙ୍କା ରହିବ ଏବଂ ଏହା ଜିଏସ୍‌ଟିଯୁକ୍ତ ରହିବ ବୋଲି ବ୍ୟାଙ୍କ୍‌ ସୂତ୍ରରୁ ପ୍ରକାଶ । ଆବେଦନକାରୀଙ୍କୁ ଏହି ସାଲାରାଇଜଡ୍‌ ପର୍ସନାଲ୍‌ ଲୋନ ନିମନ୍ତେ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ କପି, ଗତ ୬ ମାସର ବ୍ୟାଙ୍କ୍‌ ଷ୍ଟେଟମେଣ୍ଟ, ସଦ୍ୟ ସ୍ୟାଲେରୀ ସ୍ଲି୍‌, ୨ଟି ପାସପୋର୍ଟ ସାଇଜ ଫଟୋ ଏବଂ ବ୍ୟାଙ୍କ୍‌ କେୱାସୀର ଗାଇଡ୍‌ଲାଇନ ଅନୁଯାୟୀ ନିଜର ପ୍ରମାଣପତ୍ର ଦସ୍ତବିଜ୍‌ ଦେବାକୁ ପଡ଼ିବ ।

Get real time updates directly on you device, subscribe now.